ରାୟଗଡା: ରବିବାର ପବିତ୍ର ଶିବରାତ୍ର ଅବସରରେ ଜଣେ ଉଚ୍ଚ ଶିକ୍ଷିତ ଯୁବକ ନିଜର ପ୍ରେମକୁ ପାଇବା ପାଇଁ ପାଖାପାଖି ୪କିମି ରାସ୍ତାରେ ଗଡି ଗଡି ମନ୍ଦିରରେ ପହଁଚିଥିବା ଭଳି ରୋଚକ ଘଟଣା ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ରା଼ୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମଲାଭଟା କପିଳେଶ୍ୱର ମନ୍ଦିରରେ ଦେଖିବାକୁ ମିଳିଥିଲା ।
ସୂଚନା ଅନୁସାରେ ମୁନିଗୁଡା ବ୍ଲକ ଇଚ୍ଛାପୁର ପଂଚାୟତ ଡାଙ୍ଗବାଡ଼ି ଗ୍ରାମର ଗୁରୁଦାସ ଡଙ୍ଗରି ଓ ମରିଚ ଡଙ୍ଗରିଙ୍କ ପୁଅ ଲୋକନାଥ ଡ଼ଙ୍ଗରି ଜଣେ ଯୁବତିଙ୍କୁ ପ୍ରେମ କରୁଛନ୍ତି ଏବଂ ତାଙ୍କଦ୍ୱାରା ଅଜଣାରେ ଗୋଟିଏ ଭୁଲ ହୋଇଯାଇଛି । ସେହି ଭୁଲକୁ ସୁଧାରିବା ପାଇଁ ଲୋକନାଥ ଏଭଳି ପଦକ୍ଷେପ ନେଇଥବା ପ୍ରକାଶ କରିଛନ୍ତି ।
ଲୋକନାଥ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ଚେନ୍ନାଇର ଏକ କମ୍ପାନୀରେ ଅପରେଟର ଭାବେ କାର୍ଯ୍ୟ କରନ୍ତି। ହେଲେ ଲୋକନାଥ ନିଜ ପ୍ରେମକୁ ପାଇବା ପାଇଁ ଡାଙ୍ଗବାଡ଼ି ଠାରୁ ଅମ୍ଳାଭଟା ଶିବ ମନ୍ଦିରକୁ ପ୍ରାୟ ୪ କିଲୋମିଟର ରାସ୍ତା ଗଡି ଗଡି ଆସି ଶିବଙ୍କୁ ଦର୍ଶନ କରି ମାନସିକ କରିଥିଲେ । ଆଜି ଭୋର ୩ଟାରୁ ଲୋକନାଥ ରାସ୍ତାରେ ପ୍ରାୟ ୮ ଘଣ୍ଟା ଗଡି ଗଡି ମନ୍ଦିରରେ ପହଁଚିଥିଲେ । ଆଜି ପୁଅର ଶାଶ୍ଵତ ପ୍ରେମକୁ ସାର୍ଥକ କରିବା ପାଇଁ ଉଭୟ ପିତା ମାତା ଓ ସଂପର୍କିୟ ରାସ୍ତାରେ ଗଡି ଗଡି ଯାଉଥିବା ସମୟରେ ବସ୍ତ୍ର ପକାଇ ସହାୟତା କରୁଥିବା ଦେଖିବାକୁ ମିଳିଥିଲା । ଏନେଇ ଲୋକନାଥ ପ୍ରେମରେ କଣ ଭୁଲ ହୋଇଛି ଏବଂ କାହାକୁ ପ୍ରେମ କରୁଛନ୍ତି ପ୍ରକାଶ କରିନଥିବା ବେଳେ ଭୁଲ ଧାରଣା ଦୂର ହୋଇ ତାଙ୍କ ପ୍ରେମ ସଫଳ ହେଉ ବୋଲି ମାନସିକ କରିଥିବା ସେ ପ୍ରକାଶ କରିଥିଲେ ।