ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ଭାରତ ଏକ ଦମଦାର ପରାଜୟ ଦେଇଛି। ଇଶାନ କିଶନ ପ୍ରଥମେ ବ୍ୟାଟରେ ଝଟକା ଦେଇଥିଲେ ଏବଂ ତା'ପରେ କଲମ୍ବୋରେ ବୋଲରମାନେ ଘାତକ ବୋଲିଂ କଲେ। ପାକିସ୍ତାନକୁ ଭାରତ ୬୧ ରନରେ ପରାସ୍ତ କରି ସୁପର-୮ରେ ସ୍ଥାନ ସୁରକ୍ଷିତ କରିପାରିଛି। ପାକିସ୍ତାନ ଦଳର କୌଣସି ଖେଳାଳି ଅଧିକ ରନ କରିପାରି ନଥିଲେ।
ଏହି ପରାଜୟ ପରେ ଭାରତୀୟ ପ୍ରଶଂସକମାନେ ପାକିସ୍ତାନର ମଜା ଉଡ଼ାଉଛନ୍ତି। ପ୍ରଶଂସକମାନେ ସୋସିଆଲ ମିଡିଆରେ ପାକିସ୍ତାନର ଦମଦାର ପରାଜୟ ଉପରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏହାରି ମଧ୍ୟରେ ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅଖତର ସହର ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କାରଣ ସେ ଭାରତଠାରୁ ପରାଜୟ ପରେ ପିସିବି ଅଧ୍ୟକ୍ଷ ମୋହସିନ ନକଭିଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରିଥିଲେ।
ରାୱଲପିଣ୍ଡି ଏକ୍ସପ୍ରେସ୍ ଭାବରେ ଜଣାଶୁଣା ସୋଏବ ଅଖତର, ମୋହସିନ ନକଭିଙ୍କ ନାମ ନ ନେଇ ତାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ନକଭି, ଯିଏ କ୍ରିକେଟ୍ ଜାଣିନାହାଁନ୍ତି, ସେ ପିସିବି ଅଧ୍ୟକ୍ଷ ହୋଇଛନ୍ତି। ଏହି କାରଣରୁ ପାକିସ୍ତାନ ଦଳ ଏହି ପରିସ୍ଥିତିର ସମ୍ମୁଖୀନ ହେଉଛି। ସେ ବାବରଙ୍କୁ ସୁପରଷ୍ଟାର କୁହନ୍ତି, କିନ୍ତୁ ସେ ଆମକୁ ଗୋଟିଏ ବି ଖେଳ ଜିତାଇ ପାରିବେ ନାହିଁ। ଦୁନିଆର ସବୁଠାରୁ ବଡ଼ ଅପରାଧ ହେଉଛି ଜଣେ ଅଯୋଗ୍ୟ ଏବଂ ଅଜ୍ଞ ବ୍ୟକ୍ତିଙ୍କୁ ଏକ ବଡ଼ କାମ ଦେବା।
ଅଖତାର କେବଳ ବୋର୍ଡକୁ ନୁହେଁ ବରଂ ବାବର ଆଜମ, ଶାହିନ ଆଫ୍ରିଦି ଏବଂ ଶାଦାବ ଖାନଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ମଧ୍ୟ ଭର୍ତ୍ସନା କରିଛନ୍ତି। ସେ ଆହୁରି କହିଛନ୍ତି, ଯେଉଁ ବ୍ୟକ୍ତି କିଛି ଜାଣନ୍ତି ନାହିଁ, ସେ ପିସିବି ଅଧ୍ୟକ୍ଷ ହୋଇଛନ୍ତି। ତୁମେ କ'ଣ କରିପାରିବ? ଦଳ କିପରି ଚାଲିବ? ତୁମେ ଜଣେ ଖେଳାଳି (ବାବର ଆଜମ)ଙ୍କୁ ଜଣେ ସୁପରଷ୍ଟାର କରିଛ ଯିଏ ତୁମକୁ ଗୋଟିଏ ବି ମ୍ୟାଚ୍ ଜିତାଇ ପାରିବ ନାହିଁ। ଦୁନିଆର ସବୁଠାରୁ ବଡ଼ ଅପରାଧ ହେଉଛି ଜଣେ ଅଯୋଗ୍ୟ ଏବଂ ଅଶିକ୍ଷିତ ବ୍ୟକ୍ତିଙ୍କୁ ଏକ ବଡ଼ କାମ ଦେବା।
କଲମ୍ବୋରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପାଇଁ ଇଶାନ କିଶନ ୪୦ବଲ୍ରେ ୭୭ ରନ୍ କରିଥିଲେ। ଫଳରେ ଭାରତର ସ୍କୋର ୧୭୫ରେ ପହଞ୍ଚିଥିଲା। ଟାର୍ଗେଟ ପିଛା କରି ପାକିସ୍ତାନ ଭାରତର ବୋଲିଂ ଆକ୍ରମଣର ଚାପରେ ପଡ଼ି ଯାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରିତ ବୁମରାହ, ଅକ୍ଷର ପଟେଲ ଏବଂ ବରୁଣ ଚକ୍ରବର୍ତ୍ତୀ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ, ଯେତେବେଳେ କୁଲଦୀପ ଯାଦବ ଏବଂ ତିଲକ ବର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ପାକିସ୍ତାନ ୧୧୪ ରନ୍ରେ ସୀମିତ ରହିଥିଲା ଏବଂ ଭାରତ ୬୧ ରନ୍ରେ ମ୍ୟାଚ୍ ଜିତିଥିଲା।