ନୂଆଦିଲ୍ଲୀ: ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ଭାରତକୁ ନେଇ ବଡ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ସେ କହିଛନ୍ତି, ଭାରତ ବୈଶ୍ୱିକ ମାମଲାରେ ପ୍ରଭାବ ରଖୁଥିବା ଏକ ସଫଳ ଆର୍ଥିକ ଅର୍ଥବ୍ୟବସ୍ଥା ଦେଶ । ଏଆଇ ଶିଖର ସମ୍ମିଳନୀ ପାଇଁ ଭାରତ ଉପଯୁକ୍ତ ସ୍ଥାନ । ‘ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’କୁ ଗୁଟେରସ ଗୁରୁତ୍ୱ ଦେଇ କହିଛନ୍ତି ଯେ, ଏଆଇରେ ପୂରା ଦୁନିଆକୁ ଲାଭ ମିଳିବା ଉଚିତ୍ । ଏହା କେବଳ ବିକଶିତ ଦେଶକୁ ଲାଭାନ୍ୱିତ କରିବ ନାହିଁ ବରଂ ସମଗ୍ର ଦୁନିଆ ପାଇଁ ଏକ ନୂତନ ଦିଗ ଆଣିବ ।
ସେ କହିଛନ୍ତି, ମୁଁ ଏହି ଶିଖର ସମ୍ମିଳନୀର ଆୟୋଜନ ପାଇଁ ଭାରତକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଏହା ଅତ୍ୟନ୍ତ ଆବଶ୍ୟକ ଯେ, ଏଆଇର ବିକାଶର ଲାଭ ସଭିଙ୍କୁ ମିଳିବା ଉଚିତ୍ । ଏହି ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମ ଫେବୃଆରୀ ୧୬ରୁ ୨୦ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି । ଏହା ଗ୍ଲୋବାଲ ସାଉଥରେ ବିଶ୍ୱର ପ୍ରଥମ ଏଆଇ ସମ୍ମିଳନୀ । ଏହି ସମ୍ମିଳନୀ ଲୋକ, ଧରିତ୍ରୀ ଓ ପ୍ରଗତିର ତିନି ମାର୍ଗଦର୍ଶନ ସିଦ୍ଧାନ୍ତ ଉପରେ ଆଧାରିତ । ଗୁଟେରସ ଏହି ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଯାତ୍ରା କରିବେ ।
ଗୁଟେରସ କହିଛନ୍ତି, ଏହା ବହୁତ ଆବଶ୍ୟକ ଯେ ଏଆଇ ମାନବ ଜାତି ପାଇଁ ଏକ ସାର୍ବଜନୀନ ସାଧନ ହେଉ । ଭାରତର ଭୂମିକା ଆଜି ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ରହିଛି । ଭାରତ କେବଳ ଏଆଇ ନୁହେଁ ପ୍ରତିଟି କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଉଛି । ଏହି ଶିଖର ସମ୍ମିଳନୀର ଆୟୋଜନ ପାଇଁ ଭାରତ ସଂପୂର୍ଣ୍ଣ ଉପଯୁକ୍ତ ସ୍ଥାନ ।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଶିଖର ସମ୍ମିଳନୀରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ବ୍ରାଜିଲର ରାଷ୍ଟ୍ରପତି ଲୁଇସ ଇନାସିୟୋ ଲୁଲା ଦା ସିଲଭା, ସ୍ପେନର ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେପ ପେରେଜ କାଷ୍ଟେଜୋନ, ଆବୁଧାବିର ଯୁବରାଜ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାୟଦ ଅଲ ନାହୟାନ, ଭୂଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ତୋବଗେ ଓ କ୍ରୋଏସିଆର ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ ପ୍ଲେନକୋଭିକ ଆଦି ସାମିଲ୍ ।
Also read: ହିମାଚଳ ପ୍ରଦେଶର ଭଗବାନ ଶିବଙ୍କୁ ସମର୍ପିତ ଏହି ମନ୍ଦିର, ବୃଦ୍ଧି ପାଉଛି ଶିବଲିଙ୍ଗ