ଗଞ୍ଜାମ: ଗଞ୍ଜାମ ଖଲ୍ଲିକୋଟର ଦଶମ ଶ୍ରେଣୀ ଛାତ୍ରଙ୍କ ଆକସ୍ମିକ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ମୃତ ଛାତ୍ର ମିହିର ପ୍ରଧାନଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ସହାୟତା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଚାରି ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।
ଗଞ୍ଜାମ ଜିଲ୍ଲା ବାଗଲପୁର ଗାଁର ମିହିର ପ୍ରଧାନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ରହି ପାଠ ପଢ଼ୁଥିଲେ । ତିନି ବର୍ଷ ହେଲାଣି ସେ ସେଠାରେ ରହି ପାଠ ପଢ଼ୁଥିଲେ । ପ୍ରତ୍ୟେକ ଦିନ ଭଳି ଆଜି ସକାଳୁ ମଧ୍ୟ ଛାତ୍ର ଜଣ ପ୍ରାତଃ ଭ୍ରମଣରେ ଯାଇଥିଲେ । କିଛି ବାଟ ଯିବା ପରେ ସେ ହଠାତ ଚେତା ଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ଏହା ପରେ ଉପସ୍ଥିତ ଥିବା ଶିକ୍ଷକ ତୁରନ୍ତ ଛାତ୍ରଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ପୋଲିସ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି ।