ଗଞ୍ଜାମ: ମର୍ଣ୍ଣିଂ ଓ୍ୱାକ୍ ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ଟଳିପଡ଼ିଛନ୍ତି । ମହିଶିବରାତ୍ରୀ ଭଳି ଏକ ପବିତ୍ର ଦିନରେ ଲିଭି ଯାଇଛି ଗୋଟିଏ ଜୀବନ ଦୀପ । ଗଞ୍ଜାମ ଜିଲ୍ଲା ବାଗଲପୁର ଗାଁରେ ଅଘଟଣ ଘଟିଛି । ମୃତ ଛାତ୍ର ଜଣକ ହେଲେ ବାଗଲପୁର ଗାଁର ମିହିର ପ୍ରଧାନ ।
ପ୍ରାପ୍ତ ସୂଚନା ଅନୁସାରେ, ମିହିର ପ୍ରଧାନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ରହି ପାଠ ପଢ଼ୁଥିଲେ । ତିନି ବର୍ଷ ହେଲାଣି ସେ ସେଠାରେ ରହି ପାଠ ପଢ଼ୁଥିଲେ । ପ୍ରତ୍ୟେକ ଦିନ ଭଳି ଆଜି ସକାଳୁ ମଧ୍ୟ ଛାତ୍ର ଜଣଙ୍କ ପ୍ରାତଃ ଭ୍ରମଣରେ ଯାଇଥିଲେ । କିଛି ବାଟ ଯିବା ପରେ ସେ ହଠାତ ଚେତା ଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ଏହାପରେ ଉପସ୍ଥିତ ଥିବା ଶିକ୍ଷକ ତୁରନ୍ତ ଛାତ୍ରଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଖବର ପାଇଁ ଛାତ୍ରଙ୍କ ପରିବାର ଲୋକେ ମେଡ଼ିକାଲରେ ପହଁଚିଛନ୍ତି । ସ୍ଥାନୀୟ ବିଧାୟକ ଏବଂ ତହସିଲଦାର ମଧ୍ୟ ପହଁଚିଛନ୍ତି । ଆଜି ଭଳି ଏକ ପବିତ୍ର ଦିନରେ ପୁଅକୁ ହରାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । କିଛି ସମୟ ପାଇଁ ମେଡ଼ିକାଲରେ ଉତ୍ତେଜନା ଦେଖା ଦେଇଥିଲା । ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲେ । ପୋଲିସ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।