ଢେଙ୍କାନାଳ: ଆଜି ପବିତ୍ର ମହାଶିବରାତ୍ରୀରେ ସମସ୍ତ ଶୈବପୀଠ କମ୍ପୁଥିବାବେଳେ ଢେଙ୍କାନାଳ କପିଳାସରେ ବଡ଼ ଅବ୍ୟବସ୍ଥା ସାମ୍ନାକୁ ଆସିଛି । ପୋଲିସ ପ୍ରଶାସନର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସେବାୟତମାନେ ଧାରଣାରେ ବସିଛନ୍ତି । ଫଳରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ନୀତିକାନ୍ତି ବ୍ୟାହତ ହୋଇଛି । ତେବେ ଉପଜିଲ୍ଲାପାଳ କ୍ଷମା ପ୍ରାର୍ଥନା କରିବା ପରେ ନୀତିକାନ୍ତି ସ୍ୱାଭାବିକ ହୋଇଛି ।
ଆଜି ସକାଳ ସକାଳଧୂପରେ ମହାପ୍ରଭୁଙ୍କ ନିକଟରେ ଚକା ପିଠା ପ୍ରସାଦ ଲାଗି ହୁଏ । ଏଥିପାଇଁ ବିରି ବଟା ନୀତି ହୋଇଥାଏ । ଏହା ସହିତ କପିଳାସ ପାଦଦେଶରେ ଥିବା ଦେଓଗାଁ ସର ଘରୁ ନାଗାଭରଣ ବେଶ ପାଇଁ ସୁବର୍ଣ୍ଣ ପଞ୍ଚ ବକ୍ର ବାହାରି ମନ୍ଦିରକୁ ଯିବାର ବିଧି ରହିଛି ଏବଂ ଠାକୁରଙ୍କ ନାଗାଭରଣ ବେଶ ହୋଇ ଥାଏ । କିନ୍ତୁ କପିଳାସ ଶୈବ ପୀଠରେ ବାରବାଙ୍କ ନିକଟରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ମନମାନି ଦେଖିବାକୁ ମିଳିଥିଲା । ପୋଲିସମାନେ ସେବାୟତ ମାନଙ୍କୁ ଯିବାକୁ ଅନୁମତି ଦେଇନଥିଲେ । ମୁଖ୍ୟ ସେବାୟତ ଓ ଛତିଶା ନିଯୋଗକୁ ପର୍ବତ ଶିଖରରେ ବିରାଜମାନ ମହାପ୍ରଭୁଙ୍କ ମନ୍ଦିରକୁ ଯିବାକୁ ଦିଆଯାଇ ନଥିଲା । ଏହାକୁ ସେବାୟତମାନେ ତାତି ଥିଲେ । ସମସ୍ତେ ଦେଉଗାଁ ନିକଟରେ ନୀତିକାନ୍ତି ବନ୍ଦ କରି ଧାରଣା ଦେଇଥିଲେ । ଦେଉଗାଁ ଜଗନ୍ନାଥ ମନ୍ଦିରରେ ଧାରଣାରେ ବସିଥିଲେ ସେବାୟତ ।ଏପରିକି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଛଡ଼ା ଯାଇନଥିଲା । ଫଳରେ ମହାପ୍ରଭୁଙ୍କ ନାଗାଭରଣ ବେଶ ଏବଂ ଚକା ପିଠା ନୀତି ହୋଇପାରିନଥିଲା । ଜାଗର ଭଳି ଦିନରେ ଶ୍ରୀ ଚନ୍ଦ୍ରେଶଖର ମହାପ୍ରଭୁ ସକାଳୁ ଉପାସରେ ଥିଲେ ।
ଖବର ପାଇ ସଦର ପୋଲିସ ଏସଡିପିଓ ଓ ଦେବୋତ୍ତର ଇନ୍ସପେକ୍ଟର ପ୍ରଦ୍ୟୁମ୍ନ କୁମାର ତ୍ରୀପାଠୀ ପହଞ୍ଚି ସେବାୟତ ଓ ଛତିଶା ନିଯୋଗଙ୍କୁ ବୁଝାସୁଝା କରିଥିଲେ । ଗତ ବର୍ଷ ମଧ୍ୟ ଏଭଳି ଅବ୍ୟବସ୍ଥା ଉପୁଜିଥିଲା। ବାରମ୍ବାର ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହେଉଥିବାରୁ ଏହାର ସ୍ଥାୟୀ ସମାଧାନ ଦାବି କରିଛନ୍ତି ସମସ୍ତ ସେବାୟତ। ନୀତିକାନ୍ତି ବନ୍ଦ ହେବା ପରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।
ଏହା ପରେ ଉପ ଜିଲ୍ଲାପାଳ ବିଭୂଦ୍ଧ ଗଡ଼ନାୟକଙ୍କ କ୍ଷମା ପ୍ରାର୍ଥନା ଓ ପ୍ରତିଶ୍ରୁତି ପରେ ସେବାୟତଙ୍କ ଧାରଣା ହଟିଛି । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଆସନ୍ତା ୨୦ ତାରିଖରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ବୈଠକରେ ସେବାୟତ ଛତିଶା ନିଯୋଗ ଓ ପ୍ରଶାସନ ଉପସ୍ଥିତିରେ ଅବ୍ୟବସ୍ଥା ନେଇ ଆଲୋଚନା ହେବ । ତେବେ କପିଳାସ ପୀଠରେ ନୀତିକାନ୍ତି ସ୍ୱାଭାବିକ ହୋଇଛି ।