ପୁରୀ: ଆଜି ମହାଶିବରାତ୍ରି ବା ଜାଗର ଯାତ୍ରା । ଓଁ ନମଃ ଶିବାୟ ଏବଂ ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେଉଛି ଗଗନପବନ । ଏହି ଉପଲକ୍ଷେ ପୁରୀର ସ୍ୱର୍ଣ୍ନାଭ ବେଳାଭୂମିରେ ମହାଶିବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ତାଙ୍କ ବାଲୁକାକଳାରେ ପ୍ରାୟ ୧୭ହଜାର ରୁଦ୍ରାକ୍ଷ ସହ ୫୦୦ ଟି ଛୋଟଛୋଟ ଶିବଲିଙ୍ଗ ନିର୍ମାଣ କରିଛନ୍ତି । ଯାହା ଦେଖିବାକୁ ବେଶ୍ ଆକର୍ଷଣୀୟ ହୋଇଛି । ଏଥିସହ ପ୍ରାୟ ୭ ଫୁଟ ଉଚ୍ଚତା ବିଶିଷ୍ଟ ଭଗବାନ ଶିବଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଶିବଙ୍କ ସମ୍ମୁଖରେ ବିଶାଳ ଶିବଲିଙ୍ଗ ମଧ୍ୟ ଗଢିଛନ୍ତି । ସୁଦର୍ଶନ ବାଲିରେ ପର୍ବତ ନିର୍ମାଣ କରି ତା ଉପରେ ପ୍ରଭୂ ଶିବଙ୍କୁ ବିରାଜମାନ କରାଇ HAR HAR MAHADEV ଏବଂ HAPPY MAHASIVARATRI ର ବାର୍ତ୍ତା ଦେଇଛନ୍ତି। ଏହାଛଡା ପବିତ୍ର ଜାଗର ଯାତ୍ରାରେ ସୁଦର୍ଶନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଭୁ ଶିବ ବିଶ୍ୱରେ ଶାନ୍ତି ବଜାୟ ରଖନ୍ତୁ ଓ ସମସ୍ତଙ୍କୁ ଆର୍ଶୀବାଦ ପ୍ରଦାନ କରନ୍ତୁ ବୋଲି କହିଛନ୍ତି । ସୁଦର୍ଶନଙ୍କ ଦ୍ୱାରା ନିର୍ମିତ ଏହି ସୁନ୍ଦର ବାଲୁକାକଳାକୁ ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଛି ।