ଭୁବନେଶ୍ୱର: ଗୋଟିଏ ପଟେ ସ୍ୱେଚ୍ଛାସେବୀ ନାଁରେ ଲୋକଙ୍କ ପ୍ରସଂଶା ସାଉଁଟୁଛନ୍ତି । ଆଉ ଗୋଟିଏ ପଟେ ଚାକିରି ଦେବା ନାଁରେ ଲୋକଙ୍କୁ ଲୁଟୁଛନ୍ତି । ଏଭଳି ଠକ ମହିଳା ସ୍ୱେଚ୍ଛାସେବୀଙ୍କୁ ବାନ୍ଧିଛି ପୋଲିସ । ମହିଳା ସ୍ୱେଚ୍ଛାସେବୀ ଡାକ୍ତର ସୁରେଶ୍ୱରୀ ସାଗରିକା ଜେନାଙ୍କୁ ଭୁବନେଶ୍ୱର ଖଣ୍ଡଗିରି ଥାନା ପୋଲିସ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ହାଟଡିହି ଗ୍ରାମରୁ ଗିରଫ କରିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଚାକିରୀ ଦେବାକୁ କହି ସୁରେଶ୍ୱରୀ ଜଣେ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ୨୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ଆଶାୟୀ ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ଟିମ୍ ଗଠନ କରି ତଦନ୍ତ କରିଥିଲା । ଶେଷରେ ପୋଲିସ ସୁରେଶ୍ୱରୀଙ୍କୁ କେନ୍ଦୁଝରରୁ ଗିରଫ କରିଛି ।
ତେବେ ସୁରେଶ୍ୱରୀ ଗିରଫଦାରୀକୁ ଏଡ଼ାଇବାକୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ମାତ୍ର ହାଇକୋର୍ଟଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ । ତେବେ ଏଥିରେ ସୁରେଶ୍ୱରୀ ଏକା ନାଁ ତାଙ୍କ ସହିତ ଆଉ କେହି ସାମିଲ ଅଛନ୍ତି ସେ ନେଇ ଖୋଳତାଡ଼ ଜାରି ରହିଛି ।