ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ର ଫାଇନାଲଠୁ ବି ବଡ ମ୍ୟାଚ୍ ରବିବାର ଫେବୃଆରୀ ୧୫ରେ ଖେଳାଯିବ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ଏହି ମ୍ୟାଚ୍ ଉପରେ ପୂରା କ୍ରିକେଟ୍ ଦୁନିଆର ନଜର ରହିଛି । ଟି-୨୦ ବିଶ୍ୱକପର ଇତିହାସର ରେକର୍ଡ ଦେଖିଲେ ପାକିସ୍ତାନ ଉପରେ ଭାରତର ପ୍ରାଧ୍ୟାନ୍ୟ ଜାରି ରହିଛି ।
ଟିମ୍ ଇଣ୍ଡିଆ ଓ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପର ଇତିହାସରେ ଏ ପର୍ଯ୍ୟନ୍ତ ୮ଟି ମ୍ୟାଚ୍ ଖେଳାଯାଇଛି । ଏଥିରୁ ଭାରତ ୭ଟି ଜିତିଥିବା ବେଳେ ପାକିସ୍ତାନ ମାତ୍ର ଗୋଟିଏ ମ୍ୟାଚ୍ ଜିତିଛି । ଏହା ବ୍ୟତୀତ ୮ଟି ମ୍ୟାଚରୁ ୩ଟି ମ୍ୟାଚରେ ଜଣେ ଖେଳାଳି ପ୍ଲେୟାର ଅଫ ଦ ମ୍ୟାଚ୍ ଜିତିଛନ୍ତି । ଏଥର କିନ୍ତୁ ସେହି ଖେଳାଳି ଆଉ ଦଳରେ ନାହାନ୍ତି । ସେହି ଖେଳାଳି ଆଉ କେହି ନୁହନ୍ତି କିଙ୍ଗ ବିରାଟ କୋହଲି ।
ଟି-୨୦ ବିଶ୍ୱକପ୍ ୨୦୦୭ର ପ୍ରଥମ ସଂସ୍କରଣରେ ହିଁ ମୁହାଁମୁହିଁ ହୋଇଥିଲେ ଭାରତ ଓ ପାକିସ୍ତାନ । ଏହି ମ୍ୟାଚ୍ ଭାରତ ଜିତିଥିଲେ ହେଁ ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ମହମ୍ମଦ ଆସିଫ । ଏହି ଖେଳାଳି ୪ ୱିକେଟ୍ ନେଇ ଦମଦାର ପ୍ରଦର୍ଶନ କରିଥିଲେ । ଏହି ମ୍ୟାଚ୍ ଟାଇ ରହିଥିଲା । କିନ୍ତୁ ବଲ୍ ଆଉଟ୍ ଜରିଆରେ ଭାରତ ଏହି ମ୍ୟାଚ୍ ଜିତିଥିଲା ।
ବିରାଟ କୋହଲି ୨୦୧୨, ୨୦୧୬ ଓ ୨୦୨୨ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ୨୦୦୭ ଟି-୨୦ ବିଶ୍ୱକପ୍ ଫାଇନାଲରେ ଇରଫାନ ପଠାନ ପ୍ଲେୟାର ଅଫ ଦ ମ୍ୟାଚ୍ ଜିତିଥିଲେ । ୨୦୧୪ରେ ଅମିତ ମିଶ୍ର ପ୍ଲେୟାର ଅଫ ଦ ମ୍ୟାଚ୍ ପାଇଥିଲେ । ପୁଣି ଏସିଆ କପ୍ ୨୦୨୫ରେ ଭାରତ ଲଗାତାର ତିନୋଟି ମ୍ୟାଚରେ ପାକିସ୍ତାନକୁ ଧୂଳି ଚଟାଇଥିଲା । ଏମିତିରେ ପାକିସ୍ତାନ ଭାରତ ଆଗରେ ତିଷ୍ଠି ପାରି ନାହିଁ ।
ବିଶ୍ୱକପରେ ଭାରତ ପାକ୍ ବିପକ୍ଷରେ ରେକର୍ଡ
୨୦୦୭- ଗ୍ରୁପ ଷ୍ଟେଜ- ଭାରତ ବିଜୟୀ
୨୦୦୭- ଫାଇନାଲ୍- ଭାରତ ବିଜୟୀ
୨୦୧୨- ସୁପର ୮- ଭାରତ ବିଜୟୀ
୨୦୧୪- ଗ୍ରୁପ ଷ୍ଟେଜ- ଭାରତ ବିଜୟୀ
୨୦୧୬- ଗ୍ରୁପ ଷ୍ଟେଜ- ଭାରତ ବିଜୟୀ
୨୦୨୧- ସୁପର ୧୨- ପାକିସ୍ତାନ ବିଜୟୀ
୨୦୨୨- ସୁପର ୧୨- ଭାରତ ବିଜୟୀ