ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଅସ୍ତ୍ରବିରତି ଓ ଉତ୍ତେଜନା ଏକ ସଙ୍ଗେ ଜାରି ରହିଛି । ଏହା ମଧ୍ୟରେ ଇରାନ ଯୁଦ୍ଧରେ ହୋଇଥିବା କ୍ଷୟକ୍ଷତିର ମୂଲ୍ୟାୟନ କରିବା ଆରମ୍ଭ କରିଛି । ସେଣ୍ଟ୍ରାଲ ବ୍ୟାଙ୍କ ତରଫରୁ ଏକ ରିପୋର୍ଟ ରାଷ୍ଟ୍ରପତି ମସୁଦ ପେଜେଶିକୟାନଙ୍କୁ ପଠାଯାଇଛି । ସଦ୍ୟତମ ତଥ୍ୟ ଅନୁସାରେ ଇରାନର ୨୫୦ ବିଲିୟନ ଡଲାରରୁ ଅଧିକ କ୍ଷତି ଘଟିଛି । ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ ପ୍ରୟାସ ଜାରି ରହିଛି ।
କେତେ ହୋଇଛି କ୍ଷତି
ଇରାନ ସରକାରଙ୍କ ମୁଖପାତ୍ର ଫାତେମା ମୋହାଜେରାନୀ କହିଛନ୍ତି ଯେ, ପ୍ରାରମ୍ଭିକ ଆକଳନ ଅନୁସାରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ପାଖାପାଖିୟ ୨୭୦ ବିଲିୟନ ଡଲାର କ୍ଷତି ଘଟିଛି । ତେବେ କେତେ କ୍ଷୟକ୍ଷତି ଘଟିଛି ତାର ସଠିକ ତଥ୍ୟ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଧାରିତ କରାଯିବ । ଏହା ଅନେକ ପର୍ଯ୍ୟାୟ ଜରିଆରେ ମୂଲ୍ୟାଙ୍କନ କରାଯିବ ।
ମୁଖପାତ୍ର କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ କୋଠାଗୁଡିକର କ୍ଷୟକ୍ଷତିର ଆକଳନ କରାଯାଉଛି । ଦ୍ୱିତୀୟ ପର୍ଯ୍ୟାୟରେ ସରକାରୀ ରାଜସ୍ୱର କ୍ଷତି ଏବଂ ଅଦୌଗିକି କେନ୍ଦ୍ର ବନ୍ଦ ହେବାରୁ ତା ସଂପର୍କିତ କ୍ଷତିର ଆକଳନ କରାଯିବ । ମୋହାଜେରାନୀ ଏହା ମଧ୍ୟ କହିଛନ୍ତି ଯେ, ଇରାନକୁ ଦିଆଯିବାକୁ ଥିବା କ୍ଷତିପୂରଣ ପ୍ରସଙ୍ଗ ଶାନ୍ତି ଆଲୋଚନା ସମୟରେ ଉଠାଯାଇଥିବା ପ୍ରସଙ୍ଗ ମଧ୍ୟରୁ ଗୋଟିଏ ଥିଲା ।
ସେଣ୍ଟ୍ରାଲ ବ୍ୟାଙ୍କ ଅନୁସାରେ ଏହି କ୍ଷତିର ଭରଣା ପାଇଁ ୧୨ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିପାରେ । ଯୁଦ୍ଧ ସମୟରେ ଇରାନର ଅନେକ ବଡ ବିମାନ ବନ୍ଦରର କ୍ଷତି ଘଟିଛି । ଏପରିକି ତୈଳ କୂପ, ରିଫାଇନାରୀ ଓ ପେଟ୍ରୋକେମିକାଲ୍ସ ଫ୍ୟାକ୍ଟ୍ିକୁ ମଧ୍ୟ ଟାର୍ଗେଟ୍ କରାଯାଇଥିଲା । ଅଧିକାରୀ ଚେତାଇ ଦେଇଛନ୍ତି ଯେ, ଉତ୍ପାଦନ କ୍ଷମତାର ହୋଇଥିବା କ୍ଷୟକ୍ଷତି କାରଣରୁ ଆଗାମୀ ଦିନରେ ଦରବୃଦ୍ଧି ଅହେତୁକ ବଢିପାରେ ।