ନୂଆଦିଲ୍ଲୀ: ଇରାନ ଆଶାବାଦୀ ଅଛି ଯେ ଆମେରିକାକୁ ସଠିକ୍ ପଥକୁ ଆଣିବା ପାଇଁ ଯଦି ଭାରତ, ଚୀନ୍ ଏବଂ ରୁଷ ପରି ବୈଶ୍ୱିକ ଶକ୍ତିମାନେ ନିଜର ପ୍ରଭାବ ବ୍ୟବହାର କରିବେ, ତେବେ ଦୁନିଆକୁ ଯୁଦ୍ଧ ମୁହଁରୁ ବଞ୍ଚାଯାଇପାରିବ। ଏହାସହ ପଶ୍ଚିମ ଏସିଆ ଯୁଦ୍ଧରେ ଭାରତ ସମେତ ଏହି ତିନି ଦେଶର କୂଟନୀତିକୁ ଇରାନ ପ୍ରଶଂସା ମଧ୍ୟ କରିଛି।
ମୁମ୍ବାଇରେ ଇରାନର କାଉନସେଲ୍ ଜେନେରାଲ୍ ସୟିଦ୍ ରଜା ମୋସୟେବ ମୋତଲାଘ କହିଛନ୍ତି ଯେ, ଏହା ଏକ ବଡ଼ ବିଡ଼ମ୍ବନା ଯେ ଆମେରିକା ଏବଂ ଇସ୍ରାଏଲ 'ହତ୍ୟା'କୁ ଏକ ସମାଧାନ ଭାବେ ଉପସ୍ଥାପନ କରୁଛନ୍ତି।
ଭାରତ, ଚୀନ୍ ଏବଂ ରୁଷର କୂଟନୀତିକୁ ପ୍ରଶଂସା କଲା ଇରାନ
ଭାରତରେ ଅବସ୍ଥାପିତ ଇରାନର ଏହି କୂଟନୀତିଜ୍ଞ ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି ଯେ, "ନିଜ ସ୍ୱାର୍ଥର ବିପଦ ଥାଇ ମଧ୍ୟ ଭାରତ, ଚୀନ୍ ଏବଂ ରୁଷ ଏହି ସଂଘର୍ଷରେ ହସ୍ତକ୍ଷେପ ନକରି ଦୂରେଇ ରହିଛନ୍ତି, ଯାହା ପ୍ରମାଣ କରୁଛି ଯେ ସେମାନେ ଶାନ୍ତି ଚାହୁଁଛନ୍ତି।" ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଏହି ଦେଶଗୁଡ଼ିକ ଆମେରିକାର ଆକ୍ରମଣକୁ ଯଥାର୍ଥ ମନେ କରିନାହାଁନ୍ତି କିମ୍ବା ସମର୍ଥନ କରିନାହାଁନ୍ତି, ଏବଂ ସେମାନେ ନିଜକୁ ଇରାନକୁ ସାମରିକ ସହାୟତା ପ୍ରଦାନ କରିବା ସ୍ଥିତିରେ ମଧ୍ୟ ରଖିନାହାଁନ୍ତି।"
ସଂଘର୍ଷ ରୋକିବା ପାଇଁ ତିନି ମହାଶକ୍ତିଙ୍କ ଉପରେ ଭରସା
ଇରାନ ଅନୁଭବ କରୁଛି ଯେ ଯଦି ବିଶ୍ୱର ଏହି ତିନି ପ୍ରମୁଖ ଶକ୍ତି ଏବେ ମଧ୍ୟ ଆମେରିକା ଏବଂ ଇସ୍ରାଏଲକୁ ବୁଝାଇବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କ ଉପରେ ଚାପ ପଡ଼ିପାରେ। ଯୁଦ୍ଧ ପାଇଁ ସେ ଆମେରିକା ଓ ଇସ୍ରାଏଲକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଏହି ପ୍ରସଙ୍ଗଗୁଡ଼ିକର ସମାଧାନ ନହୋଇଛି, ସେପର୍ଯ୍ୟନ୍ତ ବିଶ୍ୱକୁ 'ବେଲଗାମ ସଂଘର୍ଷ ଏବଂ ଯୁଦ୍ଧର ଉନ୍ମାଦନା'ର ସାମ୍ନା କରିବାକୁ ପଡ଼ିବ।
'ଆମେରିକାର ସର୍ତ୍ତ ଆଗରେ ମୁଣ୍ଡ ନୁଆଁଇବନି ଇରାନ'
ଆମେରିକା ସହ ହୋଇଥିବା ଶାନ୍ତି ଆଲୋଚନା ଉପରେ ମୋତଲାଘ କହିଛନ୍ତି ଯେ, "ଫଳାଫଳରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଆମେରିକା କୂଟନୀତିରେ କେଉଁ ପନ୍ଥା ଆପଣାଉଛି। ଆମେରିକା ଇରାନ ଉପରେ ନିଜର ସର୍ତ୍ତ ଲଦିବାକୁ ଚାହୁଁଛି।"
ଆଲୋଚନା ପାଇଁ ଇରାନ ପ୍ରସ୍ତୁତ
ଇରାନର କାଉନସେଲ୍ ଜେନେରାଲ୍ କହିଛନ୍ତି ଯେ, ଇରାନ ଆରମ୍ଭରୁ ସ୍ପଷ୍ଟ କରିଛି ଯେ ଏହା ଏକ ସ୍ୱାଧୀନ ଦେଶ, ଯିଏ ନିଜର ନିଷ୍ପତ୍ତି ରାଷ୍ଟ୍ରହିତ ଆଧାରରେ ନେଇଥାଏ। ଇରାନ ପୂର୍ବରୁ ମଧ୍ୟ ଆଲୋଚନା ପାଇଁ ପ୍ରସ୍ତୁତ ଥିଲା ଏବଂ ଆଜି ମଧ୍ୟ ପ୍ରସ୍ତୁତ ଅଛି। କିନ୍ତୁ, "ଦୁନିଆର କୌଣସି ବି ଶକ୍ତି ଇରାନ ଉପରେ ନିଜର ହୁକୁମ ଜାରି କରିପାରିବେ ନାହିଁ କିମ୍ବା ଆମେ ପରର ଅଧୀନତା ସ୍ୱୀକାର କରିବୁ ନାହିଁ।"