ଆଇପିଏଲ ହେଉଛି ବିଶ୍ୱର ସବୁଠାରୁ ସଫଳ ଟି-୨୦ ଲିଗ । ଏହି ଲିଗରେ ଖେଳୁଥିବା ପ୍ରତ୍ୟେକ ଖେଳାଳିଙ୍କୁ ଏକ୍ସପୋଜର୍ ମିଳିଥାଏ । ଆଇପିଏଲ ରୁ ହିଁ ଅନେକ ଖେଳାଳି ବାହାରି ଭାରତ ତଥା ନିଜ ନିଜ ଦେଶ ପାଇଁ ଖେଳିବାର ସୁଯୋଗ ପାଇଥାନ୍ତି । ଏହା କେବଳ ଖେଳାଳିଙ୍କୁ ଆର୍ଥିକ ସ୍ତରରେ ମଜବୁତ କରେନାହିଁ ବରଂ ନିଜ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରେ । ବିଜେତା ଦଳକୁ ଆର୍ଥିକ ରାଶି ସହ ଆଇପିଏଲ ଟ୍ରଫି ମିଳିଥାଏ, ଏହା ବ୍ୟତୀତ ଯେଉଁ ଖେଳାଳି ବ୍ୟାଟିଂରେ ସର୍ବାଧିକ ରନ କରନ୍ତି ତାଙ୍କୁ ଅରେଞ୍ଜ କ୍ୟାପ ଓ ବୋଲିଂରେ ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳିଙ୍କୁ ପର୍ପଲ କ୍ୟାପ ମିଳିଥାଏ । ଏହା ବ୍ୟତୀତ ଯେଉଁ ଖେଳାଳି ସମୁର୍ଣ୍ଣ ଟୁର୍ନାମେଣ୍ଟରେ ପ୍ରଭାବଶାଳୀ ପ୍ରଦର୍ଶନ କରନ୍ତି ତାଙ୍କୁ ସବୁଠାରୁ ମୂଲ୍ୟବାନ ଖେଳାଳି ଅର୍ଥାତ ଏମଭିପି ଆୱାର୍ଡ ମିଳିଥାଏ । ୨୦୨୫ ରେ ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ଆୱାର୍ଡ ମିଳିଥିଲା । ତେବେ ଚଳିତ ସିଜିନରେ ଏହି ଆୱାର୍ଡ ପାଇଁ ଅନେକ ଖେଳାଳି ଲଢେଇ କରୁଛନ୍ତି । ତେବେ ଆସନ୍ତୁ ଜାଣିବା କିଏ ଏହି ତାଲିକାରେ ସବୁଠାରୁ ଆଗରେ ?
ପ୍ରସିଦ୍ଧ କ୍ରିଷ୍ଣା (ଗୁଜୁରାଟ ଟାଇଟନ୍ସ) :- ବର୍ତ୍ତମାନ ସୁଦ୍ଧା ପ୍ରସିଦ୍ଧ କ୍ରିଷ୍ଣା ୧୧୮.୫ ପଏଣ୍ଟ ସହ ଏହି ତାଲିକାରେ ସବୁଠାରୁ ଆଗରେ ଅଛନ୍ତି । ୪ ଟି ମ୍ୟାଚରେ ୧୦ ଟି ୱିକେଟ୍ ନେଇ ଟେବୁଲ ଟପର ଅଛନ୍ତି ।
ବୈଭବ ସୂର୍ଯ୍ୟବଂଶୀ (ରାଜସ୍ଥାନ ରୟାଲ୍ସ) :- ନିଜ ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ବୈଭବ ସୂର୍ଯ୍ୟବଂଶୀ ଏହି ତାଲିକାର ଦ୍ଵିତୀୟ ସ୍ଥାନରେ ଅଛନ୍ତି । ୪ ଟି ମ୍ୟାଚରେ ୧୮ ଟି ଚୌକା ଓ ୧୮ ଟି ଛକ୍କା ବଳରେ ୨୦୦ ରନ ସଂଗ୍ରହ କରିବା ସହ ୧୧୪ ପଏଣ୍ଟ ହାସଲ କରିଛନ୍ତି ବୈଭବ ।
ରଜତ ପାଟିଦାର (ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ) :- ବେଙ୍ଗାଲୁରୁକୁ ଆଇପିଏଲ ଚମ୍ପିୟାନ କରିଥିବା ଅଧିନାୟକ ରଜତ ପାଟିଦାର ଏହି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି । ୪ ଟି ମ୍ୟାଚରେ ତାଙ୍କୁ ୧୦୪ ପଏଣ୍ଟ ମିଳିଛି ।
ଅଂଶୁଲ କମ୍ବୋଜ (ଚେନ୍ନାଇ ସୁପର କିଙ୍ଗସ) :- ଚେନ୍ନାଇ ପାଇଁ ଖେଳୁଥିବା ଦ୍ରୁତ ବୋଲର ଅଂଶୁଲ କମ୍ବୋଜ ୧୦୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅଛନ୍ତି । ୪ ଟି ମ୍ୟାଚରେ ୮ ଟି ୱିକେଟ୍ ନେଇଛନ୍ତି କମ୍ବୋଜ ।
ଯଶ ବଟଲର (ଗୁଜୁରାଟ ଟାଇଟନ୍ସ) :- ଚଳିତ ସିଜିନରେ ନିଜ ଫର୍ମ ଫେରିପାଇଛନ୍ତି ବଟଲର । ଶେଷ ଦୁଇଟି ମ୍ୟାଚରେ ଦୁଇଟି ଅର୍ଦ୍ଧଶତକ କରିଛନ୍ତି ବଟଲର । ଫର୍ମ ଫେରିପାଇବା ସହ ୧୦୨.୫ ପଏଣ୍ଟ ସହ ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି ।