ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଆଜି ଆଇପିଏଲ୍ ୨୦୨୬ର ୨୦ତମ ମ୍ୟାଚ୍ ଖେଳାଯିବ । ଏହି ମୁକାବିଲା ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚକୁ ନେଇ ଦୁଇ ଦଳର ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଚରମରେ ପହଞ୍ଚିଛି । ଆରସିବି ଏବଂ ଏମଆଇ ମଧ୍ୟରେ ମୁକାବିଲା ସର୍ବଦା ରୋମାଞ୍ଚକର ରହିଛି । କାରଣ ଏହି ମ୍ୟାଚରେ କ୍ରିକେଟ୍ ପ୍ରେମୀଙ୍କୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଝଲକ ଦେଖିବାକୁ ମିଳିବ । ଦୁଇ ଖେଳାଳିଙ୍କ ରେକର୍ଡ ପରସ୍ପର ଦଳ ବିରୋଧରେ ଚମତ୍କାର ରହିଛି ।
କିଏ କରିଛି ଅଧିକ ରନ ?
ଯଦି କେବଳ ଏମଆଇ ବନାମ ଆରସିବି ମ୍ୟାଚ୍ ଉପରେ ନଜର ପକାଇବା ତେବେ ରନ କରିବା ମାମଲାରେ ବିରାଟ ରୋହିତଙ୍କଠୁ ଆଗରେ ଅଛନ୍ତି । କିଙ୍ଗ କୋହଲି ମୁମ୍ବାଇ ବିରୋଧରେ ୩୩ ଇନିଂସରୁ ୩୧.୮ ହାରରେ ୯୨୨ ରନ କରିଛନ୍ତି । ୫ ଥରର ଏହି ଚାମ୍ପିଅନ ଟିମ୍ ବିରୋଧରେ ହଜାରେ ରନ ପୂରଣ ପାଇଁ ବିରାଟଙ୍କୁ ୭୮ ରନ ଦରକାର ।
କିଏ ମାରିଛି ଅଧିକ ଅର୍ଦ୍ଧଶତକ
ଋନ କରିବା ମାମଲାରେ ବିରାଟ କୋହଲି ଆଗରେ ଥିଲେ ହେଁ, ଅର୍ଦ୍ଧଶତକ ମାମଲାରେ ରୋହିତ ଶର୍ମା ଆଗରେ ଅଛନ୍ତି । ହିଟମ୍ୟାନ ଆରସିବି ବିପକ୍ଷରେ ୭ ଅର୍ଦ୍ଧଶତକ ମାରିଛନ୍ତି । କୋହଲି ମୁମ୍ବାଇ ବିପକ୍ଷରେ ୬ଟି ଅର୍ଦ୍ଧଶତକ ମାରିଛନ୍ତି । ଏହି ଦୁଇ ଖେଳାଳି ପରସ୍ପର ଟିମ୍ ବିପକ୍ଷରେ ଶତକ ମାରି ପାରି ନାହାନ୍ତି ।
କିଏ କରିଛି ହାଇଏଷ୍ଟ ସ୍କୋର
ରୋହିତ ଶର୍ମା ଏଥିରେ ବିରାଟ କୋହଲିଙ୍କଠୁ ଆଗରେ ଅଛନ୍ତି । ରୋହିତ ଆରସିବି ବିପକ୍ଷରେ ସର୍ବାଧିକ ୯୪ ରନ କରିଛନ୍ତି । କୋହଲି ମୁମ୍ବାଇ ବିପକ୍ଷରେ ଗୋଟିଏ ଇନିଂସରେ ୯୨ ରନ କରିଛନ୍ତି।
ଚୌକା ଛକାରେ କିଏ ଆଗରେ
ଏମଆଇ ବନାମ ଆରସିବି ମ୍ୟାଚରେ ଚୌକା ମାରିବାରେ ରୋହିତ ଓ କୋହଲି ବରାବର ଅଛନ୍ତି । ଉଭୟ ୭୮-୭୮ ଚୌକା ମାରିଛନ୍ତି । ଛକା ମାମଲାରେ କିନ୍ତୁ ହିଟମ୍ୟାନ ଆଗରେ ଅଛନ୍ତି । ରୋହିତ ଆରସିବି ବିରୋଧରେ ୩୮ ଛକା ମାରିଥିବା ବେଳେ ବିରାଟ ଏମଆଇ ବିପକ୍ଷରେ ମାରିଛନ୍ତି ୩୪ ଛକା ।