ମୁମ୍ବାଇ: ସବୁ ସିଜିନରେ ପ୍ରତ୍ୟେକ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କିଛି ନା କିଛି ଖରାପ ଖବର ନେଇଥାଏ। ଆଇପିଏଲ୍ ୨୦୨୬ରେ ୧୩ ବର୍ଷ ପରେ ଦଳ ପ୍ରଥମ ମ୍ୟାଚ୍ ଜିତି ଦମଦାର ଭାବେ ସିଜିନ୍ ଆରମ୍ଭ କରିଥିଲା। କିନ୍ତୁ ପୁଣି ଥରେ ଦଳକୁ ବିଗତ ସିଜିନ ଗୁଡ଼ିକର ରୋଗ ଦେଖା ଦେଇଛି। ଦଳ ଲଗାତାର ୩ଟି ମ୍ୟାଚ୍ ହାରି ସାରିଲାଣି। କେବଳ ପରାଜୟ ନୁହେଁ, ଦଳ ଏବେ ଏହାର ପୂର୍ବତନ ଅଧିନାୟକ ଏବଂ ଷ୍ଟାର ବ୍ୟାଟର ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ଦ୍ଵିଧାରେ ରହିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍ରେ ଆହତ ହେବା ପରେ ପରବର୍ତ୍ତୀ ମ୍ୟାଚ୍ରେ ରୋହିତଙ୍କ ଖେଳିବା ନେଇ ସସପେନ୍ସ ବୃଦ୍ଧି ପାଇଛି। ରୋହିତଙ୍କ ସସପେନ୍ସ ଉପରୁ ପରଦା ହଟିବାକୁ ହେଲେ ତାଙ୍କୁ ହସ୍ପିଟାଲ ଯିବାକୁ ପଡିବ।
ରବିବାର ୱାଙ୍ଖେଡେ ଷ୍ଟାଡିୟମରେ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍ରେ ରୋହିତ ଶର୍ମା ବ୍ୟାଟିଂ କରୁଥିବା ସମୟରେ ଆଘାତ ପାଇଥିଲେ। ପଞ୍ଚମ ଓଭରରେ କୃଣାଲ ପାଣ୍ଡ୍ୟାଙ୍କ ବଲରେ ଏକ ସିଙ୍ଗଲ୍ ନେବା ପରେ, ରୋହିତ ଶର୍ମା ତାଙ୍କ ଗୋଡ଼ରେ କିଛି ଅଶ୍ଵସ୍ତି ଅନୁଭବ କରିବାକୁ ଲାଗିଲେ। ତା’ପରେ ସେ ଷଷ୍ଠ ଓଭରରେ ପୁଣି ଅସୁସ୍ଥ ହୋଇ ପଡ଼ିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ଫିଜିଓ ତାଙ୍କୁ ପରୀକ୍ଷା କରିବାକୁ ଆସିଥିଲେ, ଯାହା ପରେ ସେ ରିଟାୟର୍ଡ ହଟ୍ ହୋଇ ପାଭିଲିୟନ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ରୋହିତ ଆଉ ବ୍ୟାଟିଂ କରିନଥିଲେ।
ହସ୍ପିଟାଲ ରିପୋର୍ଟ ଉପରେ ସବୁ ନିର୍ଭର
ମ୍ୟାଚ୍ ପରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତଙ୍କ ଫିଟନେସ୍ ବିଷୟରେ କୌଣସି ଅପଡେଟ୍ ଦେଇ ନାହିଁ। କିନ୍ତୁ ପରେ ଜଣାପଡିଥିଲା ଯେ ତାଙ୍କର ହାମଷ୍ଟ୍ରିଙ୍ଗ୍ ଆଘାତ ଲାଗିଥିଲା। ତେଣୁ ସେ ଆଉ ବ୍ୟାଟିଂ କରି ପାରି ନ ଥିଲେ।। କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ରୋହିତଙ୍କୁ ଏବେ ହସ୍ପିଟାଲ ଯାଇ ହାମଷ୍ଟ୍ରିଙ୍ଗ୍ ସ୍କାନ କରିବାକୁ ପଡିବ, ଯାହା ତାଙ୍କ ଆଘାତ କେତେ ରହିଛି ତାହା ଜଣା ପଡ଼ିବ। ମେଡିକାଲ୍ ରିପୋର୍ଟ ଉପରେ ନିର୍ଭର କରେ ଯେ ରୋହିତ ମୁମ୍ଵାଇ ପାଇଁ ପରବର୍ତ୍ତୀ ମ୍ୟାଚ୍ ଖେଳିବେ କି ନାହିଁ।ମୁମ୍ବାଇ ଏପ୍ରିଲ ୧୬ରେ ପଞ୍ଜାବ କିଙ୍ଗସ୍ ବିପକ୍ଷରେ ନିଜର ପରବର୍ତ୍ତୀ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ମଧ୍ୟ ୱାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯିବ।
IPL 2026 ରେ ରୋହିତଙ୍କ ପ୍ରଦର୍ଶନ
ରିଟାୟର୍ଡ ହଟ୍ ପୂର୍ବରୁ, ରୋହିତ ଶର୍ମା ଭଲ ଫର୍ମରେ ନଜର ଆସିଥିଲେ। ସେ ୧୩ ବଲରେ ୧୯ ରନ କରିଥିଲେ। ପୂରା ସିଜନରେ ସେ ପ୍ରଥମ ମ୍ୟାଚରେ ଚମତ୍କାର ୮୩ ରନ କରି ତାଙ୍କ ଦଳକୁ ବିଜୟୀ କରାଇଥିଲେ। ତଥାପି, ପରବର୍ତ୍ତୀ ଦୁଇଟି ମ୍ୟାଚରେ ସେ ଏହି ପ୍ରଦର୍ଶନକୁ ଦୋହରାଇବାରେ ବିଫଳ ହୋଇଥିଲେ। ସେ ଏପର୍ଯ୍ୟନ୍ତ ଚାରୋଟି ଇନିଂସରେ ୧୩୭ ରନ କରିଛନ୍ତି, ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ସାମିଲ୍।