ଚଳିତ ସିଜିନର ୨୧ ତମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ରାଜସ୍ଥାନ ରୟାଲସ ଓ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ, ହାଇଦ୍ରାବାଦରେ ଖେଳାଯିବ । ଏହି ଗ୍ରାଉଣ୍ଡରେ ପୂର୍ବର ମ୍ୟାଚକୁ ଦେଖି ହାଇ-ସ୍କୋରିଂ ମ୍ୟାଚ ହେବା ନେଇ ଅନୁମାନ କରାଯାଉଛି ।
ଟେବୁଲ ଟପର ରାଜସ୍ଥାନ ୪ଟି ମ୍ୟାଚରେ ବିଜୟ ହାସଲ କରିଥିବାବେଳେ ହାଇଦ୍ରାବାଦ ସ୍ଥିର ପ୍ରଦର୍ଶନ ପାଇଁ ଆଶା ରଖିଛି । ହାଇଦ୍ରାବାଦର ବ୍ୟାଟିଂ ୟୁନିଟ ଭଲ ଥିଲେ ମଧ୍ୟ ବୋଲିଂ ୟୁନିଟ ବିଶେଷ ପ୍ରଭାବିତ କରିପାରିନାହିଁ । ଯାହାଫଳରେ ୪ଟି ମ୍ୟାଚରୁ ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି ହାଇଦ୍ରାବାଦ । ଅନ୍ୟପଟେ ରାଜସ୍ଥାନ ଉଭୟ ବ୍ୟାଟିଂ ଓ ବୋଲିଂ ୟୁନିଟ ସନ୍ତୁଳିତ ନଜର ଆସୁଛନ୍ତି । ଘାତକ ଓପନିଂ ଯୋଡି ସହ ବୋଲିଂରେ ଜୋଫ୍ରା ଆର୍ଚ୍ଚର ଓ ନାନ୍ଦ୍ରେ ବର୍ଗର ଭଲ ଫର୍ମରେ ଅଛନ୍ତି ।
କେମିତି ରହିବ SRH ବନାମ RR ମ୍ୟାଚ ପାଇଁ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମର ପିଚ
ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମର ପିଚ ପାରମ୍ପରିକ ଭାବେ ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ ବେଶ ଅନୁକୂଳ । ସଠିକ ବାଉଂଶ ଓ ଦ୍ରୁତ ଆଉଟଫିଲ୍ଡ ବଡ ସ୍କୋର ପାଇଁ ବେଶ ସହାୟକ ହୋଇଥାଏ । ପାୱାରପ୍ଲେରେ ଦ୍ରୁତ ବୋଲରମାନେ ଗତିର ବ୍ୟବହାର କରିପାରିବେ, ଏହାପରେ ସ୍ପିନର ମାନଙ୍କୁ ମଧ୍ୟ ଟର୍ନ ମିଳିବ, କିନ୍ତୁ କାକର ଆସିଲେ ସ୍ପିନ ବୋଲିଂ କରିବା କଷ୍ଟକର ହେବ । ଖାସ କରି ଦ୍ଵିତୀୟ ଇନିଂସରେ କାକରର ପ୍ରଭାବରେ ବୋଲର ମାନଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିବ । ଏହି ଭଳି ଗ୍ରାଉଣ୍ଡରେ ଟସ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯେଉଁ ଦଳ ଟସ୍ ଜିତିବ ପ୍ରଥମେ ବୋଲିଂ କରିବାର ନିଷ୍ପତି ନେବ । ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସମୁଦାୟ ୮୪ ଟି ମ୍ୟାଚ ଖେଳାଯାଇଛି । ପ୍ରଥମେ ବ୍ୟାଟିଂ କରିଥିବା ଦଳ ୩୪ ଥର ମ୍ୟାଚ ଜିତିଥିବାବେଳେ ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରିଥିବା ଦଳ ୪୮ ଥର ମ୍ୟାଚ ଜିତିଛି । ତେଣୁ ଆଜି ଯେଉଁ ଦଳ ମ୍ୟାଚ ଜିତିବ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେବ ।