ଗୌହାଟୀ: ବରସାପରା ଷ୍ଟାଡିୟମରେ ବୈଭବ ସୂର୍ଯ୍ୟବଂଶୀଙ୍କ ରନ ବର୍ଷା । ଏହି ବିସ୍ଫୋରକ ବାମହାତୀ ବ୍ୟାଟରଙ୍କ ଧୂଆଁଧାର ବ୍ୟାଟିଂ ଏବଂ ଧ୍ରୁବ ଜୁରେଲଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୟାଲ୍ସ ୬ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇଛି । ଲଗାତାର ଚତୁର୍ଥ ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲରେ ନିଜର ସ୍ଥାନ ମଜବୁତ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ଅଧିନାୟକ ରଜତ ପାଟିଦାରଙ୍କ ୬୩ ରନ ଏବଂ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ଇନିଂସ ବଳରେ ୮ ୱିକେଟ ହରାଇ ୨୦୧ ରନ କରିଥିଲା । ତେବେ ବୈଭବଙ୍କ ୨୬ ବଲରୁ ୭୮ ରନ ଓ ଧ୍ରୁବ ଜୁରେଲଙ୍କ ୪୩ ବଲରୁ ୮୧ ରନର ଇନିଂସ ବଳରେ ରାଜସ୍ଥାନ ମ୍ୟାଚକୁ ଏକତରଫା ଭାବେ ଜିତି ନେଇଛି ।
୨୦୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନକୁ ଯଶସ୍ୱୀ ଜୟସ୍ୱାଲ(୧୩ ରନ)ଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା । ହେଲେ ପ୍ରଥମ ହିଁ ସୂର୍ଯ୍ୟବଂଶୀ ଆରସିବି ବୋଲରଙ୍କ ପ୍ରହାର କରିଥିଲେ । ସେ ଧୂଆଁଧାର ବ୍ୟାଟିଂ କରି ଚଳିତ ସିଜିନରେ ପୁଣି ଥରେ ୧୫ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଧ୍ରୁବ ଜୁରେଲ ପ୍ରଥମ ୱିକେଟ ପାଇଁ ୧୦୮ ରନ ଯୋଡି ମ୍ୟାଚକୁ ଏକ ତରଫା କରି ଦେଇଥିଲେ । ସୂର୍ଯ୍ୟବଂଶୀଙ୍କ ପ୍ରହାରରେ ଅସହାୟ ହୋଇ ପଡିଥିଲେ ଆରସିବି ବୋଲର । ଏହି ବାମହାତୀ ବ୍ୟାଟର ୨୬ ବଲରୁ ୮ ଚୌକା ଓ ୭ ଛକା ସହ ୭୮ ରନ କରି ଆଉଟ୍ ହୋଇଥିଲେ ।
ଏହା ପରେ ବେଙ୍ଗାଲୁରୁ କ୍ରମାଗତ ୨ଟି ୱିକେଟ ହରାଇବାରୁ ଆରସିବି ମ୍ୟାଚକୁ ଫେରିବାକୁ ଚେଷ୍ଟା କରିଥିଲା । ହେଟମାୟର ୯ ଓ ଅଧିନାୟକ ରିୟାନ ପରାଗ ୩ ରନ କରି ଆଉଟ୍ ହୋଇଥିଲେ । ତେବେ ଧ୍ରୁବ ଜୁରେଲ ଚମତ୍କାର ବ୍ୟାଟିଂ କରି ଶେଷ ପର୍ଯ୍ୟନ୍ତ ଥିଲେ । ସେ ଏବଂ ଜାଡେଜା ୬୮ ରନ ଯୋଡି ଦଳକୁ ୧୨ ବଲ ପୂର୍ବରୁ ଜିତାଇଥିଲେ । ଜୁରେଲ ୪୩ ବଲରୁ ୮ ଚୌକା ଓ ୩ ଛକା ସହ ୮୧ ରନର ଆକର୍ଷଣୀୟ ମ୍ୟାଚ୍ ଖେଳିଥିଲେ ।
ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆରସିବିକୁ ପ୍ରଥମ ବଲରେ ଝଟକା ଲାଗିଥିଲା । ଫିଲ ସଲ୍ଟ ଖାତା ଖୋଲି ପାରି ନ ଥିଲେ । ଏହା ପରେ ବିରାଟ କୋହଲି ୧୬ ବଲରୁ ୩୨ ରନର ଦ୍ରୁତ ଇନିଇସ ଖେଳିଥିଲେ । ଦେବଦତ୍ତ ପାଡିକଲ ୧୪ ରନ କରି ଆଉଟ୍ ହୋଇିଥିଲେ । ମଧ୍ୟକ୍ରମରେ ଆରସିବିର ବ୍ୟାଟର ନିରାଶ କରିଥିଲେ । ୧୧ ଓଭରରେ ଏକଦା ୬ ବ୍ୟାଟରଙ୍କୁ ହରାଇ ୯୪ ରନ କରିଥିଲା ଆରସିବି । ଲାଗୁଥିଲା ଦଳ ୧୫୦/୧୬୦ ରନ କରିବ । ହେଲେ ଅଧିନାୟକ ରଜତା ପାଟିଦାର ୬୩ ରନ ଅଧିନାୟକତ୍ୱ ଇନିଂସ ଖେଳିଥିଲେ । ଶେଷ ଆଡକୁ ରୋମାରିଓ ସେଫର୍ଡ ୧୧ ବଲରୁ ୨୨ ରନ ଓ ଭେଙ୍କଟେଶ ଆୟର ୨୯ ରନ କରିବାରୁ ବେଙ୍ଗାଲୁରୁ ୨୦୧ ରନ କରି ପାରିଥିଲା ।