ଯାଜପୁର: ପରକୀୟା ପ୍ରୀତି ଓ ସମଲିଙ୍ଗୀ ସମ୍ପର୍କ ପାଇଁ ବଳିପଡିଲା ୨୩ ବର୍ଷୀୟ ଯୁବକଙ୍କ ଜୀବନ। ନିଜ ପତ୍ନୀ ହିଁ ସାଜିଥିଲା ହତ୍ୟାକାଣ୍ଡର ଯୋଜନା। ନିଜ ପ୍ରେମିକ ଓ ପ୍ରେମିକା ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଛି ପତ୍ନୀ। ଯାଜପୁର ଜିଲ୍ଲା ପୋଲିସ ଏ ପୁରା ଘଟଣାର ପର୍ଦ୍ଦାଫାଶ କରିଛି।
ଘଟଣା ମୁତାବିକ, ଗତ ୬ ତାରିଖ ରାତିରେ ଯାଜପୁରର ପୂର୍ଵତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ବାସଭବନ ସମ୍ମୁଖରେ ଗୁଳିକାଣ୍ଡରେ ୨୩ ବର୍ଷୀୟ ସୌମ୍ୟ ସାଗର ସାମଲଙ୍କର ମୃତ୍ୟୁ ଘଟିଥିଲା। ଜିଲ୍ଲା ଥାନା ପୋଲିସ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ସହ ଘଟଣାର ମୁଖ୍ୟ ଅଭିଯୁକ୍ତ ତାପସ କୁମାର ଖିଲାରଙ୍କ ସମେତ ମୃତକ ସୌମ୍ୟଙ୍କ ପତ୍ନୀ, ତାପସଙ୍କ ଭଉଣୀ ପ୍ରିତିପ୍ରଭା ପ୍ରିୟଦର୍ଶିନୀ ଓରଫ ଚିନୁ ଏବଂ ବନ୍ଧୁକ ସପ୍ଲାୟର ଦୁଇ ଜଣଙ୍କୁ ଗିରଫ କରିଛି।
ଅଭିଯୁକ୍ତଙ୍କ ନିକଟରୁ ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଦେଶୀ ବନ୍ଧୁକ, ମଟର ସାଇକେଲ ଓ ୭ଟି ମୋବାଇଲ ଜବତ କରିଛି। ଏନେଇ ଯାଜପୁର ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ କରି ହତ୍ୟାକାଣ୍ଡ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି ଯାଜପୁର ଏସ୍ପି ୟସ ପ୍ରତାପ ଶ୍ରୀମାଲ।
ଏସ୍ପିଙ୍କ ସୂଚନା ମୁତାବିକ, ଯାଜପୁର ଯଯାତି କେଶରୀ ମେଡିକାଲ କଲେଜ ପଛପଟ ବୈତରଣୀ ନଦୀ ପଠାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ମୃତ ସୌମ୍ୟ ସାଗର ସାମଲ ନିଜ ସ୍ତ୍ରୀର ଅବୈଧ ଓ ସମଲିଙ୍ଗୀ ସମ୍ପର୍କ ବିଷୟରେ ଜାଣିବା ପରେ ସ୍ତ୍ରୀ ନିଜ ପ୍ରେମିକା ଓ ତାର ଭାଇ ସହ ମିଶି ଏହି ହତ୍ୟାକାଣ୍ଡ ଘଟାଇଛି। ସୌମ୍ୟଙ୍କ ସ୍ତ୍ରୀଙ୍କ ପାର୍ଲରରେ ଯେଉଁ ଯୁବତୀ କାମ କରୁଥିଲେ, ତାଙ୍କ ସହ ସମଲିଙ୍ଗୀ ସମ୍ପର୍କ ରହିଥିବା ବେଳେ, ଯୁବତୀଙ୍କ ଭାଇ ସହ ସୌମ୍ୟଙ୍କ ପତ୍ନୀଙ୍କ ରହିଥିଲା ପରକୀୟା ପ୍ରୀତି। ତେବେ ଏହି ଅବୈଧ ସମ୍ପର୍କକୁ ମୃତ ସୌମ୍ୟ ସାଗର ସାମଲ ଜାଣିବା ପରେ ତାଙ୍କୁ ଯିବାରୁ ମାରିଦେବାକୁ ହୋଇଥିଲା ଷଡଯନ୍ତ୍ର।