କ’ଣ କୌଣସି ପିଲାକୁ ସଜା ସ୍ୱରୂପ ଦୁଇ ବର୍ଷ ପର୍ଯ୍ୟନ୍ତ ଏମିତି ଏକ ସ୍ଥାନରେ ବନ୍ଦ କରାଯାଇପାରେ, ଯେଉଁଠି ଛିଡ଼ା ହେବାକୁ ମଧ୍ୟ ଜାଗା ନାହିଁ? ଜଣେ ବାପା ନିଜ ପୁଅ ସହ ଏଭଳି ନିଷ୍ଠୁରତା କରିଛନ୍ତି। ଜଣେ ପଡ଼ୋଶୀ ପିଲାଟିର ସ୍ୱର ଶୁଣିବା ପରେ ହିଁ ତାକୁ ଉଦ୍ଧାର କରାଯାଇପାରିଛି।
୨୦୨୪ରୁ ନର୍କ ଯନ୍ତ୍ରଣା ଭୋଗୁଥିଲା ପିଲାଟି
ଏସୋସିଏଟେଡ୍ ପ୍ରେସ୍ର ରିପୋର୍ଟ ଅନୁଯାୟୀ, ପୂର୍ବ ଫ୍ରାନ୍ସର ହେଗେନବଚ ଗାଁରେ ଏହି ହୃଦୟବିଦାରକ ଘଟଣା ଘଟିଛି। ଜଣେ ୯ ବର୍ଷର ପିଲାକୁ ଏକ ଭ୍ୟାନ୍ ଭିତରୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ମିଳିଛି ଯେ, ୨୦୨୪ ମସିହାରୁ ପିଲାଟି ସେହି ଗୋଟିଏ ଭ୍ୟାନ୍ ଭିତରେ ବନ୍ଦ ହୋଇ ରହିଥିଲା। ପଡ଼ୋଶୀଙ୍କ ସୂଚନା କ୍ରମେ ପୋଲିସ ମୋକାରେ ପହଞ୍ଚି ଭ୍ୟାନ୍ର କବାଟ ଜବରଦସ୍ତି ଖୋଲିଥିଲା।
ଗଦା ଗଦା ଅଳିଆ ଭିତରେ ରହୁଥିଲା ପିଲା
ଭ୍ୟାନ୍ ଖୋଲିବା ପରେ ପୋଲିସ ଯାହା ଦେଖିଲା, ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ପିଲାଟି ଗଦା ଗଦା ଅଳିଆ, ମଇଳା ଏବଂ ନିଜର ମଳ-ମୂତ୍ର ମଧ୍ୟରେ ଏକ କମ୍ବଳ ଘୋଡ଼େଇ ହୋଇ ପଡ଼ିଥିଲା। ତାର ଶରୀରରେ କୌଣସି ବସ୍ତ୍ର ନଥିଲା। ପ୍ରାୟ ଦୁଇ ବର୍ଷ ଧରି ଗୋଟିଏ ସ୍ଥିତିରେ ବସି ରହିବା ଯୋଗୁଁ ସେ ଚାଲିବା ଶକ୍ତି ମଧ୍ୟ ହରାଇ ବସିଛି। ସେ କୁପୋଷଣର ଶିକାର ହୋଇଛି ଏବଂ ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି।
ମିଛରେ ମାନସିକ ରୋଗୀର ଆଖ୍ୟା ଦେଇଥିଲେ ବାପା
ପୋଲିସ ପଚରାଉଚରା ବେଳେ ବାପା ଜଣକ କହିଥିଲେ ଯେ, ତାଙ୍କ ପାର୍ଟନର (ଗର୍ଲଫ୍ରେଣ୍ଡ୍) ପିଲାଟିକୁ ମାନସିକ ରୋଗୀ ମାନୁଥିଲେ ଏବଂ ତାକୁ ପାଗଳଖାନା ପଠାଇବାକୁ ଚାହୁଁଥିଲେ। ତେଣୁ ସେ ପିଲାକୁ 'ସୁରକ୍ଷିତ' ରଖିବା ପାଇଁ ଭ୍ୟାନ୍ ଭିତରେ ରଖିଥିଲେ। କିନ୍ତୁ ଡାକ୍ତରୀ ରିପୋର୍ଟ ଅନୁସାରେ ପିଲାଟିର କୌଣସି ମାନସିକ ରୋଗ ନାହିଁ। ବରଂ ଏହି ଘଟଣା ପୂର୍ବରୁ ସେ ସ୍କୁଲରେ ଜଣେ ମେଧାବୀ ଛାତ୍ର ଥିଲେ।
ମାମଲା ଏବଂ ଗିରଫଦାରୀ
ପିଲାଟି ପୋଲିସକୁ କହିଛି ଯେ, ତା ବାପାଙ୍କ ପାର୍ଟନରଙ୍କ ସହ ତାର ଅନେକ ସମସ୍ୟା ଥିଲା, ଯେଉଁଥିପାଇଁ ତାକୁ ଏହି ସଜା ମିଳିଛି। ପୋଲିସ ବାପାକୁ ଅପହରଣ ଏବଂ ପିଲାଟିକୁ ନିର୍ଯାତନା ଦେବା ଅଭିଯୋଗରେ ଗିରଫ କରିଛି। ଗର୍ଲଫ୍ରେଣ୍ଡ୍ଙ୍କ ଉପରେ ମଧ୍ୟ ବିପଦରେ ଥିବା ପିଲାକୁ ସାହାଯ୍ୟ ନ କରିବା ଅଭିଯୋଗ ଲାଗିଛି।