ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର। ଖୁବ୍ଶୀଘ୍ର ବିଶ୍ୱ ପ୍ରସିଦ୍ଧ ନୟାଗଡ଼ ଛେନାପୋଡ଼କୁ ମିଳିପାରେ GI ଟ୍ୟାଗ୍ ମାନ୍ୟତା । GI ଟ୍ୟାଗ୍ ନେଇ ଉପଯୁକ୍ତ ପଦକ୍ଷେପ ନେବେ ବୋଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି। ଏନେଇ ଆସନ୍ତା ମେ ୨୮ ଓ ୨୯ ତାରିଖ ବୈଠକରେ ବିଧିବଦ୍ଧ ଘୋଷଣା ହୋଇପାରେ।
ଛେନାପୋଡ ଦିବସରେ ସାଂସଦ ସମ୍ୱିତ ପାତ୍ର କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଏନେଇ ଚିଠି ଲେଖିଥିଲେ। ଏହି ସୁସ୍ୱାଦୁ ମିଠାର ମହତ୍ତ୍ୱ ରହିଛି ବୋଲି କହିଛନ୍ତି। ଏହି ପାରମ୍ପରିକ ଖାଦ୍ୟ ସହ ଓଡିଶା ଲୋକ ବିଶେଷ କରି ନୟାଗଡ ଲୋକଙ୍କ ସହ କିଭଳି ଜଡିତ ତାହା ସେ ଏହି ଚିଠିରେ ଜଣାଇଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଏହା ସମ୍ପର୍କରେ ଏବେ ସକାରାତ୍ମକ ସୂଚନା ଦେଇଛନ୍ତି।
ଶନିବାର ନୟାଗଡ ଛେନା ପୋଡର ସ୍ରଷ୍ଠା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ୱ ଛେନାପୋଡ ଦିବସ ଭାବେ ପାଳନ କରାଯାଇଥିଲା। ଛେନାପୋଡ଼ ଗୋଟିଏ ଓଡ଼ିଆ ମିଠା। ଏହା ଛେନା, ଚିନି, ସୁଜି, କାଜୁ ଓ କିସମିସରେ ତିଆରି କରାଯାଏ। ଛେନାପୋଡ଼ର ଆକ୍ଷରିକ ମାନେ ହେଲା ପୋଡ଼ା ଯାଇଥିବା ଛେନା ବା ପୋଡ଼ିକରି ତିଆରି କରାଯାଇଥିବା ଛେନାରେ ତିଆରି ଏକ ମିଠା। ଯଦି ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ମିଳେ, ତେବେ ଏହା ନୟାଗଡ଼ର ପରିଚୟକୁ ବିଶ୍ୱମଞ୍ଚରେ ଗୌରବ ଆଣିଦେବ। ସ୍ଥାନୀୟ ମିଠା ଦୋକାନ ଓ କାରିଗରମାନେ ଆର୍ଥିକ ଭାବେ ଲାଭାନ୍ୱିତ ହେବେ ଓ ଏହି ପାରମ୍ପରିକ ରେସିପି ଆଗାମୀ ପିଢ଼ୀ ପର୍ଯ୍ୟନ୍ତ ସୁରକ୍ଷିତ ରହିବ।