ଚେନ୍ନାଇ: ଆଇପିଏଲ୍ ୨୦୨୬ରେ ଚେନ୍ନାଇ ସୁପର କିଙ୍ଗସ ବିଜୟର ଖାତା ଖୋଲିିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଚେନ୍ନାଇ ଚେପକ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ହରାଇଛି । ଋତୁରାଜ ଗାଏକ୍ୱାଡଙ୍କ ଅଧିନାୟକତ୍ୱରେ ଲଗାତାର ସାତ ପରାଜୟ ପରେ ଶେଷରେ ବିଜୟର ସ୍ୱାଦ ଚାଖିଛି ଚେନ୍ନାଇ । ଏହି ମ୍ୟାଚରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୧୨ ରନ କରିଥିଲା । ଜବାବରେ ଦିଲ୍ଲୀ ୧୮୯ ରନ କରି ପାରିଥିଲା । ଚେନ୍ନାଇ ବିଜୟରେ ହିରୋ ସାଜିଛନ୍ତି ସଞ୍ଜୁ ସାମସନ । ଏହି ତାରକା ବ୍ୟାଟର ୧୧୫ ରନର ଅପରାଜିତ ଶତକୀୟ ଇନିଂସ ଖେଳିଥିଲେ ।
ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ସଞ୍ଜୁ ସାମସନ ଓ ଅଧିନାୟକ ଋତୁରାଜ ଗାଏକ୍ୱାଡ ଓପନିଂରେ ୬୨ ରନ ଯୋଡିଥିଲେ । ଗାଏକ୍ୱାଡ ୧୫ ରନ କରି ଶସ୍ତାରେ ଆଉଟ୍ ହୋଇଥିଲେ । ଏହା ପରେ ସାମସନ ଓ ଆୟୁଷ ମହାତ୍ରେଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ହୋଇଥିଲା । ଦୁଇ ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରି ଦିଲ୍ଲୀ ବୋଲରଙ୍କୁ ୱିକେଟ୍ ନେବା ପାଇଁ ସୁଯୋଗ ଦେଇ ନ ଥିଲେ । ମହାତ୍ରେ ୩୬ ବଲରୁ ୩ ଚୌକା ଓ ୪ ଛକା ସହାୟତାରେ ୫୯ ରନ କରି ରିଟାୟର୍ଡ ହଟ୍ ହୋଇଥିଲେ । ସଞ୍ଜୁ ସାମସନ ନିଜର ଆଇପିଏଲ କ୍ୟାରିୟରରେ ଚତୁର୍ଥ ଶତକ ହାସଲ କରିଥିଲେ । ସେ ୫୬ ବଲରୁ ୧୫ ଚୌକା ଓ ୪ ଛକା ଜରିଆରେ ୧୧୫ ରନର ଅପରାଜିତ ଶତକୀୟ ଇନିଂସ ଖେଳିଥିଲେ । ଶିବମ ଦୁବେ ୨୦ ରନ କରି ଅପରାଜିତ ଥିଲେ ।
ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ୟର ପିଛା କରିଥିବା ବେଳେ ପଥୁମ ନିଶଙ୍କା ବିସ୍ଫୋରକ ବ୍ୟାଟିଂ କରି ୨୪ ବଲରୁ ୪୧ ରନ କରିଥିଲେ । କେଏଲ ରାହୁଲଙ୍କ ସହ ମିଶି ୬୧ ରନ ଯୋଡିଥିଲେ । ଦିଲ୍ଲୀ ୫ ଓଭରରେ ୬୧ ରନ କରି ମଜବୁତ ସ୍ଥିତିରେ ରହିଥିଲା । ହେଲେ ଚେନ୍ନାଇ ବୋଲର ୧୫ ରନ ଭିତରେ ୪ ୱିକେଟ୍ ନେଇ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ । ଡେଭିଡ୍ ମିଲର ୧୭ ରନ ଓ ଆଶୁତୋଷ ଶର୍ମା ୧୯ ରନ କରି ଆଉଟ୍ ହୋଇଥିଲେ ।
ଟ୍ରିଷ୍ଟନ ଷ୍ଟବ୍ସ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ହେଁ ତାହା ଦଳ ପାଇଁ ଯଥେଷ୍ଟ ନ ଥିଲା । ସେ ୩୮ ବଲରୁ ୬୦ ରନ କରିଥିଲା । ଗୋଟିଏ ସମୟ ଷ୍ଟବ୍ସ ଦିଲ୍ଲୀ ପାଇଁ ବିଜୟ ଆଶା ଆଣିଥିଲେ । ମାତ୍ର ଜେମି ଓଭରଟନ ତାଙ୍କୁ ଆଉଟ କରି ଚେନ୍ନାଇ ବିଜୟ ସୁନିଶ୍ଚିତ କରିଥିଲେ । ଚେନ୍ନାଇ ପାଇଁ ଜେମି ଓଭରଟନ ସର୍ବାଧିକ ୪ ୱିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅଂଶୁଲ କମ୍ବୋଜ ୩ ୱିକେଟ୍ ନେଇଥିଲେ ।