ମୁମ୍ବାଇ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲର୨୦ତମ ହାଇସ୍କୋରିଂ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୮ ରନରେ ହରାଇଛି। ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆରସିବି ୨୪୦ ରନର ଐତିହାସିକ ସ୍କୋର କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ଶେରଫନ ରଦରଫୋର୍ଡଙ୍କ ବିଧ୍ୱଂସୀ ୭୧ ରନ ବଳରେ ୨୨୨ ରନ କରି ଶୋଚନୀୟ ପରାଜୟରୁ ବର୍ତ୍ତି ଯାଇଛି । ବେଙ୍ଗାଲୁରୁ ପକ୍ଷରୁ ଫିଲ ସଲ୍ଟ ୭୮ ରନକ କରିଥିବା ବେଳେ ବିରାଟ କୋହଲି ୫୦ ରନ ଓ ରଜତ ପାଟିଦାର ୫୩ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ।
୨୯ ଛକା ଓ ୩୬ ଚୌକା
ବେଙ୍ଗାଲୁରୁ ଓ ମୁମ୍ବାଇ ମ୍ୟାଚରେ ମୋଟ୍ ୪୬୨ ରନ ହୋଇଛି । ମୁକାବିଲାରେ ଚାରି ଜଣ ବ୍ୟାଟର ଅର୍ଦ୍ଧଶତକ ହାସଲ କରିଛନ୍ତି । ଏଥିପାଇଁ ମ୍ୟାଚରେ ଖୁବ ଚୌକା ଓ ଛକା ବର୍ଷା ହୋଇଛି । ଦୁଇ ଇନିଂସକୁ ମିଶାଇ ମୋଟ୍ ୨୯ ଛକା ଓ ୩୬ ଚୌକା ଲାଗିଛି । ଏକାକୀ ଶେରଫନ ରଦରଫୋର୍ଡ ୯ ଛକା ମାରି ୩୧ ବଲରୁ ୭୧ ରନର ବିସ୍ଫୋରକ ଇନିଂସ କେଳି ମୁମ୍ବାଇକୁ ବହୁତ ବଡ ପରାଜୟରୁ ବଞ୍ଚାଇଛନ୍ତି ।
ଏକଦା ୧୭ତମ ଓଭର ପର୍ଯ୍ୟନ୍ତ ମୁମ୍ବାଇ ୫ ୱିକେଟ୍ ହରାଇ ୧୬୬ ରନ କରିଥିଲା । ଆଉ ନିଜ ଘରୋଇ ଗ୍ରାଉଣ୍ଡରେ ବଡ ପରାଜୟ ଆଡକୁ ଅଗ୍ରସର ହେଉଥିଲା ୫ ଥରର ଚାମ୍ପିଅନ । ମୁମ୍ବାଇରେ ଏମଆଇର ସବୁଠୁ ବଡ ପରାଜୟ ୩୯ ରନ ଥିଲା । ମାତ୍ର ଶେରଫନ ରଦରଫୋର୍ଡଙ୍କ ୭୧ ରନେ ଇନିଂସ ମୁମ୍ବାଇକୁ ଲଜ୍ଜାଜନକ ସ୍ଥିତିରୁ ବଞ୍ଚାଇ ଦେଇଛି । ଅନ୍ତିମ ତିନି ଓଭରରେ ମୁମ୍ବାଇ ୫୬ ରନ କରିଥିଲା । ଏହି ଇନିଂସ ମୁମ୍ବାଇକୁ ବଡ ପରାଜୟରୁ ବଞ୍ଚାଇବା ସହ ନେଟ ରନ ରେଟ୍ ଦୃଷ୍ଟିରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ଦଳ ପାଇଁ ବହୁତ ବଡ ମୁଣ୍ଡ ବିନ୍ଧାର କାରଣ ପାଲଟିଥାନ୍ତା ।
ଏମଆଇ ପକ୍ଷରୁ ରିୟାନ ରିକଲଟନ ୩୭ ରନ କରିଥିବା ବେଳେ ରୋହିତ ଶର୍ମା ୧୯ ରନ କରି ଆହତ କାରଣରୁ ରିଟାୟର୍ଡ ହଟ୍ ହୋଇଥିଲେ । ତିଳକ ବର୍ମା ପୁଣି ଥରେ ନିରାଶ କରିଥିଲେ । ନମନ ଧୀର ନିଜର ଖରାପ ଫର୍ମ ବଜାୟ ରଖିଥିଲେ । ର୍ସ୍ୟୂକୁମାର ଯାଦବ ୩୩ ରନ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ କରିଥିଲେ ହେଁ ତାହା ମୁମ୍ବାଇ ପାଇଁ ଯଥେଷ୍ଟ ନ ଥିଲା ।
ପାଣ୍ଡ୍ୟା ଆରସିବିର ବିଜୟର ନାୟକ
ଦ୍ୱିତୀୟ ଇନିଂସରେ କାକର ଏକ ପ୍ରମୁଖ କାରଣ ପ୍ରମାଣିତ ହେଉଥିଲା। ଦ୍ୱିତୀୟ ଇନିଂସରେ ବୋଲିଂ କଷ୍ଟକର ଥିଲା, କାରଣ ବଲ୍ ବହୁତ ଓଦା ହୋଇଯାଇଥିଲା। ତଥାପି, କୃଣାଳ ପାଣ୍ଡ୍ୟା କଷ୍ଟକର ପରିସ୍ଥିତିରେ ଚାରି ଓଭରରେ କେବଳ 26 ରନ ଦେଇଥିଲେ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ମୂଲ୍ୟବାନ ୱିକେଟ ମଧ୍ୟ ନେଇଥିଲେ। ତାଙ୍କର ସ୍ପେଲ, କିଛି ପରିମାଣରେ, ମୁମ୍ବାଇ ଏବଂ ବାଙ୍ଗାଲୋର ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିଥିଲା।