ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନରେ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ବଳଭଦ୍ରପୁର ଗ୍ରାମରେ ଓହ୍ଲାଥିଲେ। ସେଠାରେ ଟେକ୍ସଟାଇଲ ପାର୍କ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଧରଣୀଧର ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ ଏବଂ ଡାଟା ସେଣ୍ଟରର ଶିଳାନ୍ୟାସ କରିଥିଲେ।
ଏହି ଅବସରରେ ଏକ ସାଧାରଣ ସଭାରେ ଯୋଗ ଦେଇ ଜିଲା ତଥା ରାଜ୍ୟର ବିକାଶ ପାଇଁ ସରକାରଙ୍କ ଆଭିମୁଖ୍ୟ ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ଜିଲାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ। ଟ୍ରାଫିକ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ଏବଂ ସଭାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଇସ୍ପାତ କାରଖାନା ସହିତ ଆଇଟି ଓ ଟେକ୍ସଟାଇଲ କ୍ଷେତ୍ରରେ ରାଜ୍ୟକୁ ସମୃଦ୍ଧ କରିବାକୁ ବିଭିନ୍ନ ଜିଲାରେ ଏଭଳି କାର୍ଯ୍ୟକ୍ରମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏମ୍ପି ଅନନ୍ତ ନାୟକ, ବିଧାୟକ ଅଖିଳ ନାୟକ, ଡକ୍ଟର ଫକୀର ନାୟକ, ଜିଲାପାଳ ବିଶାଲ ସିଂହ ସମେତ ବହୁ ଉପସ୍ଥିତ ଥିଲେ।
କେନ୍ଦୁଝରର ପ୍ରାକୃତିକ ଓ ମାନବ ସମ୍ବଳକୁ ଉପଯୋଗ କରି ଏହାକୁ ଏକ 'ସୁନାର କେନ୍ଦୁଝର' ଭାବେ ଗଢ଼ି ତୋଳିବା ସହ ଓଡ଼ିଶାକୁ ଟେକ୍ସଟାଇଲ୍ କ୍ଷେତ୍ରରେ ଏକ 'ପାୱାର ହାଉସ୍' କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ପ୍ରକଳ୍ପର ପ୍ରମୁଖ ବିଶେଷତ୍ୱ :-
- ବଳଭଦ୍ରପୁରଠାରେ ୧୦୦ କୋଟି ଟଙ୍କା ବିନିଯୋଗରେ ଟେକ୍ସଟାଇଲ୍ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ, ୧୨୦୦ ନିଯୁକ୍ତି ସମ୍ଭାବନା
- କେନ୍ଦୁଝରରେ ପ୍ରସ୍ତୁତ ବିଶ୍ୱସ୍ତରୀୟ ବ୍ରାଣ୍ଡର ପୋଷାକ ଏବେ ସାରା ବିଶ୍ୱକୁ ରପ୍ତାନୀ ହେବ
- ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ୧୮୭ କୋଟି ଟଙ୍କା ବ୍ୟୟରେ ରାଜ୍ୟର ପ୍ରଥମ ଡିଜାଷ୍ଟର୍ ରିକଭରି ଡାଟା ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ
- ରାଜ୍ୟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ତଥ୍ୟର ସୁରକ୍ଷା ପାଇଁ ଏଠାରେ ଏକ ଅତ୍ୟାଧୁନିକ 'ବ୍ୟାକ-ଅପ ସିଷ୍ଟମ' କାର୍ଯ୍ୟ କରିବ
ଏହି ପରିପେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଓଡ଼ିଶାର ପ୍ରତି ଜିଲ୍ଲାକୁ ସମୃଦ୍ଧ କରିବା ପାଇଁ ମୋର ପ୍ରୟାସ ଜାରି ରହିଛି, କାରଣ ଜିଲ୍ଲାମାନଙ୍କର ସମୃଦ୍ଧିରେ ସମୃଦ୍ଧ ଓଡ଼ିଶା ସମ୍ଭବ ହେବ ଏବଂ ଦେଶର ପ୍ରତ୍ଯେକ ସମୃଦ୍ଧ ରାଜ୍ୟର ସମାହାରରେ ଗଠିତ ହେବ ଯାହା ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ବିକଶିତ ଭାରତ। "
ଅଧିକ ପଢନ୍ତୁ: ମୁଖ୍ୟ ଶାସନ ସଚିବଙ୍କ ବଡ଼ ଘୋଷଣା; ୨୦୨୭ ସୁଦ୍ଧା ରାଜ୍ୟର ଏହି ୪ ସହରରେ ହେବ କମନ ଇକୋନୋମିକ୍ ଜୋନ୍