ହୀରାକୁଦ: ସମ୍ବଲପୁରର ଐତିହାସିକ ହୀରାକୁଦ ଠାରେ 'ଏମସିଏଲ୍ ହୀରାକୁଦ ଇଣ୍ଟରନ୍ୟାସନାଲ ହାଫ୍ ମାରାଥନ୍ – ୨୦୨୬ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଗଣଦୌଡ଼ର ଶୁଭାରମ୍ଭ କରିଛନ୍ତି । ଏଥିରେ ୧୦ ହଜାରରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି । ତତସହିତ ଯୋଗ ଦେଇଥିବା ସମସ୍ତ ମନ୍ତ୍ରୀ ଓ ବିଧାୟକମାନେ ଏହି ଗଣ ଦୌଡ଼ରେ ସାମିଲ ହୋଇଥିଲେ ।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି, ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ, ଆମକୁ ୨୦୨୬ରୁ ହିଁ ଏପରି ପ୍ରୟାସ କରିବାକୁ ହେବ ଯେପରି ସମ୍ବଲପୁର ଏବଂ ଓଡ଼ିଶାର ପ୍ରତିଭାବାନ ପିଲାମାନେ ବିଶ୍ୱସ୍ତରରେ ମେଡାଲ ଜିତିବେ । ଏହି ମାରାଥନ କେବଳ ଏକ ଦୌଡ଼ ନୁହେଁ ବରଂ ଏହା ଏକ ଦୃଢ ସଂକଳ୍ପ । ହୀରାକୁଦର ସୁଉଚ୍ଚ ମାଟି ବନ୍ଧ ଉପରେ ଆୟୋଜିତ ଏହି ଭବ୍ୟ ମାରାଥନରେ ଚଳିତ ବର୍ଷ ଦେଶ-ବିଦେଶର ୧୦ ହଜାରରୁ ଉଦ୍ଦ୍ୱ କ୍ରୀଡ଼ାବିତ୍ ଓ ଯୁବସାଥୀ ଅଂଶଗ୍ରହଣ କରିଥିଲେ । ଏଥିରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଦେଶରୁ ହଜାର ହଜାର ପ୍ରତିଭାବାନ ଧାବକ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାକୁ ମୁଖ୍ୟତଃ ୨୧ କିମି, ୧୦ କିମି, ୫ କିମି ଏବଂ ୧.୫ କିମି ଭଳି ଚାରୋଟି ଭିନ୍ନ ବିଭାଗରେ ବିଭକ୍ତ କରାଯାଇଥିଲା।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ଫିଟ୍ ଇଣ୍ଡିଆ ମୁଭମେଣ୍ଟ'ର ଆହ୍ୱାନକୁ ଆଜିର ଏହି ମାରାଥନ୍ ସାର୍ଥକ କରୁଛି । ଯେତେବେଳେ ଜଣେ ଯୁବକ ଦୌଡ଼େ, ସେତେବେଳେ ପୂରା ସମାଜ ଦୌଡ଼େ ଏବଂ ଦେଶ ପ୍ରଗତି ପଥରେ ଦୌଡ଼େ । ପ୍ରତ୍ୟେକ ନାଗରିକଙ୍କୁ ସୁସ୍ଥ ରଖିବା ପାଇଁ ଦୌଡ଼ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ମାରାଥନ୍ କେବଳ ଶାରୀରିକ ସୁସ୍ଥତା ନୁହେଁ, ବରଂ ଜଣେ କ୍ରୀଡ଼ାବିତ୍ର ପ୍ରକୃତ ସ୍ପୋର୍ଟ୍ସ ମ୍ୟାନ ସ୍ପିରିଟ୍ ବା ଖେଳୁଆଡ଼ ମନୋଭାବକୁ ମଧ୍ୟ ପ୍ରଦର୍ଶିତ କରୁଛି । ଏହି ଭବ୍ୟ ଆୟୋଜନ ସମ୍ବଲପୁରକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ନୂଆ ଏବଂ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବାରେ ଏକ ଶକ୍ତିଶାଳୀ ମାଧ୍ୟମ ସାଜିବ ।
ଉଲ୍ଲେଖନୀୟ ଯେ, ଏହି ମାରାଥନରେ ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିଯୋଗୀମାନେ ସାମିଲ ହୋଇଥିଲେ । ରାଜ୍ୟ ବାହାରୁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ଛତିଶଗଡ଼, ବିହାର, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ହରିୟାଣା, ରାଜସ୍ଥାନ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ଦିଲ୍ଲୀ, କର୍ଣ୍ଣାଟକ, ପଞ୍ଜାବ, ଆସାମ, ଉତ୍ତରାଖଣ୍ଡ, କେରଳ, ତାମିଲନାଡୁ, ମେଘାଳୟ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଜମ୍ମୁ ଓ କାଶ୍ମୀରର ଧାବକ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ । ଆନ୍ତର୍ଜାତୀୟ ସ୍ତରରେ ଏହି ମାରାଥନର ଦୃଶ୍ୟପଟ୍ଟ ବେଶ୍ ପ୍ରଭାବଶାଳୀ ରହିଥିଲା, ଯେଉଁଥିରେ କେନିଆ, ଇଥିଓପିଆ, ନାଇଜେରିଆ, ନେପାଳ, ଶ୍ରୀଲଙ୍କା, ଭୁଟାନ, ଜାମ୍ବିଆ, କଙ୍ଗୋ, ୟେମେନ ଏବଂ ସିରିଆ ଭଳି ବିଦେଶୀ ରାଷ୍ଟ୍ରର ଧାବକମାନେ ଅଂଶଗ୍ରହଣ କରିଥିଲେ । ବିଜୟୀ ପ୍ରତିଯୋଗୀଙ୍କୁ ଶ୍ରୀ ପ୍ରଧାନ ପୁରସ୍କୃତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚ ଶିକ୍ଷା, କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମେତ ପଦ୍ମଶ୍ରୀ ବିଜେତା ଏବଂ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।