ଭୁବନେଶ୍ୱର: ଆଜି ହେଉଛି ସନ୍ଥ କବି ଭୀମ ଭୋଇଙ୍କ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ବିଧାନସଭା ପରିସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସନ୍ଥ କବି ଭୀମ ଭୋଇ କେବଳ ଜଣେ ସନ୍ଥ କିମ୍ବା କବି ନ ଥିଲେ, ସେ ଥିଲେ ମାନବତା, କରୁଣା ଏବଂ ସାମାଜିକ ନ୍ୟାୟର ଶକ୍ତିଶାଳୀ ସ୍ୱର । ଅତ୍ୟନ୍ତ ସରଳ ଓ ସାବଲୀଳ ଭାଷାରେ ଭଜନ ଏବଂ ଚଉତିଶା ମାଧ୍ୟମରେ ମାନବତା, କରୁଣା ଏବଂ ସାମାଜିକ ନ୍ୟାୟର ବାର୍ତ୍ତା ଦେଉଥିଲେ । ସେ ଦିବ୍ୟାଙ୍ଗ ହୋଇ ଦେଖି ପାରୁନଥିଲେ କିନ୍ତୁ ତାଙ୍କ ଦେଖାଇବା ରାସ୍ତା ଏବଂ ତାଙ୍କ ବାଣୀ କୋଟି କୋଟି ଜନତାଙ୍କୁ ମାର୍ଗଦର୍ଶନ କରିଥିଲେ ।
ଭୀମ ଭୋଇ ୧୮୫୦ ମସିହାରେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲର ମଧୁପୁର ଗ୍ରାମରେ ଏକ କନ୍ଧ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟାବସ୍ଥାରେ ଜନ୍ମାନ୍ଧ ଓ ବସନ୍ତ ରୋଗ ହେତୁ ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ସେ ମହିମା ଧର୍ମର ପ୍ରଚାରକ ଥିଲେ । ନିଜର କବିତା ଓ ଜଣାଣ ମଧ୍ୟରେ ସମାଜରେ ସଂସ୍କାର ଆଣିଥିଲେ । ତାଙ୍କର ଏକ କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ" ଜନ ଜୀବନରେ ଅନେକ ପରିବର୍ତ୍ତନ ଆଣିଥିଲା । ମହିମା ଧର୍ମର ପ୍ରଚାରକ ଏବଂ କବିତା ପାଇଁ ତାଙ୍କୁ ସନ୍ଥ କବି ନାମରେ ନାମିତ କରାଯାଇଥିଲା ।
ଭୀମ ଭୋଇଙ୍କ ଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି ।