ସମ୍ବଲପୁର: ଜିଲ୍ଲାର ବାମରା ବ୍ଲକ ବାଉଁଶଲଗା ଗ୍ରାମ ପଞ୍ଚାୟତ ନୁନିଆଁମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁରେ ଜଳି ପୋଡ଼ି କିଛି ଛାରଖାର ହୋଇଯାଇଛି । ପ୍ରାୟ ୬ଟା ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିଛନ୍ତି ।
ସୂଚନା ଅନୁସାରେ ଅନୁଭବ ଲାଠଙ୍କର ବାଉଁଶଲଗା ଗ୍ରାମ ପଞ୍ଚାୟତ ନୁନିଆଁମୁଣ୍ଡାରେ ଏକ ଶୀତଳ ଭଣ୍ଡାର ରହିଥିଲା । ଆଜି ସକାଳ ପ୍ରାୟ ୬ଟା ସମୟରେ କର୍ମଚାରୀ ମୋଟର ଚାଲୁ କରିବାକୁ ଯାଇଥିଲେ। ମୋଟର ମାତ୍ର ୧୦ ମିନିଟ ଚାଲି ବନ୍ଦ ହୋଇ ଯାଇଥିଲା । ପରେ ଆଉ ବିଲକୁଲ ଚାଲି ନ ଥିଲା । କର୍ମଚାରୀ ଭିତରକୁ ଯାଇ ଦେଖିବାରୁ ଧୂଆଁ ବାହାରୁଥିଲା। ଏ ନେଇ କର୍ମଚାରୀମାନେ ମାଲିକଙ୍କୁ ଖବର ଦେଇଥିଲେ । ମାଲିକ ତୁରନ୍ତ ଗୋବିନ୍ଦପୁର ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ସେପଟେ ଚାହୁଁ ଚାହୁଁ ନିଆଁ କ୍ଷୀପ୍ର ବେଗରେ ବ୍ୟାପିଯାଇଥିଲା । ପ୍ରଥମେ ଗୋଟିଏ ଦମକଳ ଗାଡ଼ି ଆସି ପହଁଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ନିଆଁର ଭୟବହତା ଏତେ ଥିଲା ଯେ ପରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଓ କିରମିରା ଅଗ୍ନିଶମ ବିଭାଗକୁ ମଧ୍ୟ ଖବର ଦିଆଯାଇଥିଲା । ପ୍ରାୟ ୫ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ୬ଟି ଦମକଳ ଗାଡ଼ି ନିଆଁକୁ ଲିଭାଇଥିଲେ ।
ଅଗ୍ନିକାଣ୍ଡରେ ୧୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଗୋଦାମରେ ଥିବା ସାମଗ୍ରୀ ଯଥା ମହୁଲ, ଆମ୍ବ ଚକଡା଼, ଲଙ୍କା ଇତ୍ୟାଦି ଏବଂ ଅନ୍ୟାନ୍ୟ ସାମଗ୍ରୀ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି ।