ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ଏକ ସାଧାରଣ ମ୍ୟାଚ୍ ନୁହେଁ । ଏହି ହାଇଭୋଲଟେଜ୍ ମ୍ୟାଚ୍ ଦୁଇ ଦେଶର କ୍ରିକେଟ୍ ପ୍ରେମୀଙ୍କ ଭାବାବେଗ ସହ ଜଡିତ । ଏହି ମହାମୁକାବିଲା ଜରିଆରେ କୋଟି କୋଟି ଟଙ୍କାର କାରବାର ହୋଇଥାଏ । ରିପୋର୍ଟ ଅନୁସାରେ, ଏହି ଗୋଟିଏ କ୍ରିକେଟ୍ ମ୍ୟାଚରୁ ୧୬୦୦ କୋଟି ଟଙ୍କାର କାରବାର ହୋଇଥାଏ । ଏଥିରେ ହୋଟେଲଠୁ ନେଇ ଟିଭି ରାଇଟ୍ସ ପର୍ଯ୍ୟନ୍ତ ସାମିଲ ।
ଏହି କ୍ରିକେଟ୍ ମ୍ୟାଚର ରୋମାଞ୍ଚକ କେତେ ଅଧିକ ଯେ, ମାତ୍ର କିଛି ମିନିଟ୍ ଭିତରେ ହିଁ ବୁକ୍ ମାଇ ଶୋରେ ସମସ୍ତ ଟିକେଟ୍ ବିକ୍ରି ହୋଇ ଯାଇଥିଲା । କଲୋମ୍ବୋରେ ବର୍ତ୍ତମାନ ହୋଟେଲ ଦର ଦିନ ପିଛା ୨ ଲକ୍ଷ ଟଙ୍କାକୁ ପହଞ୍ଚି ସାରିଛି । ବିମାନ ଭଡା ଦିଲ୍ଲୀ କିମ୍ବା ମୁମ୍ବାଇରୁ କଲୋମ୍ବୋକୁ ଦେଢ ଲକ୍ଷ ଟଙ୍କା ଛୁଇଁଛି । ଏଥିରୁ ସ୍ପଷ୍ଟ ଜାଣି ପାରୁଥିବେ ଯେ, ଏହି ମ୍ୟାଚକୁ ନେଇ କେତେ ଉତ୍ସାହ ରହିଛି ।
ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଯଦି ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ନ ହୋଇଥାନ୍ତା ତେବେ ଆଇସିସିକୁ ୧୫୬୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥାନ୍ତା । ଏଥିରେ ବ୍ରଡକାଷ୍ଟ ରେଭନ୍ୟୁ, ଗେଟ୍ ରିସିପ୍ଟ ଓ ପ୍ରାୟୋଜକର ଆୟ ସାମିଲ୍ । ଯେମିତି ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହି ମ୍ୟାଚ୍ ଖେଳିବା ନେଇ ଅନୁମତି ଦେଲା ଠିକ୍ ତୁରନ୍ତ ପରେ ମୁମ୍ବାଇରୁ କଲୋମ୍ବୋର ବିମାନ ଯାତ୍ରା ଭଡା ଅନେକ ଗୁଣ ବଢି ଯାଇଛି ।
ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ମୁତାବକ କେବଳ ଇଣ୍ଡିଆ-ପାକିସ୍ତାନ କ୍ରିକେଟ୍ ମ୍ୟାଚରୁ ଆଇସିସିକୁ ୧୬୦୦ କୋଟି ଟଙ୍କାର ଆୟ ହୋଇଥାଏ । ଟି-୨୦ ବିଶ୍ୱକପ୍ ୨୦୨୬ରେ ଆଇସିସିର ମୋଟ୍ ଆୟର ଏହା ହେଉଛି ୨୦ ପ୍ରତିଶତ । ଯଦି ପାକିସ୍ତାନ ଏହି ମ୍ୟାଚ୍ ନ ଖେଳିଥାନ୍ତା ଏବଂ ଏହା ଉପରେ କୌଣସି ଆକ୍ସନ ହୋଇଥାନ୍ତା ତେବେ ଆଇସିସିକୁ ୩୪.୬୦ ବିଲିୟନ ଡଲାରର କ୍ଷତି ସହିବାକୁ ପଡିଥାନ୍ତା ।
Also read: ଅଭିଷେକ-ବାବରଙ୍କଠୁ ଉସ୍ମାନ ତାରିକ-ବୁମରା ପର୍ଯ୍ୟନ୍ତ, ଭାରତ-ପାକ୍ ମ୍ୟାଚରେ ଏହି ୭ ଖେଳାଳିଙ୍କ ଉପରେ ରହିବ ନଜର