କେନ୍ଦ୍ରାପଡ଼ା: ଜାତିପ୍ରଥା ପରମ୍ପରା ଉପରେ ପୂର୍ଣ୍ଣଛେଦ ପଡିଛି। କାରଣ ଜାତିପ୍ରଥାକୁ ନେଇ ତିନିମାସ ଧରି ବନ୍ଦ ଥିବା ଅଙ୍ଗନବାଡି କେନ୍ଦ୍ର ଆଜି ସ୍ୱାଭାବିକ ହୋଇଛି। ଆଜି ପିଲା ପହଁଚିବା ପରେ ସ୍ୱାଭାବିକ ଭାବେ ଚାଲିଛି ଅଙ୍ଗନବାଡି କେନ୍ଦ୍ର। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଘଡିଆମାଳ ପଞ୍ଚାୟତ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଦଳିତ ସହାୟିକା ନିଯୁକ୍ତିକୁ କେନ୍ଦ୍ର କରି ଦୀର୍ଘ ୩ ମାସ ଧରି ଚାଲିଥିଲା ସମସ୍ୟା। ପୂର୍ବ ନିଷ୍ପତି ଅନୁଯାୟୀ ଆଜି ସକାଳୁ ରାଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଧ୍ରୁବ ସାହୁ ପହଞ୍ଚି ଗାଁର ମୁରବି ମାନଙ୍କ ସହ ଆଲୋଚନା କରିଥିଲେ। ପିଲାମାନଙ୍କୁ ସାଙ୍ଗରେ ନେଇ କେନ୍ଦ୍ରକୁ ଆସିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ସାହୁ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ନିଜ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ଅନୁଦାନ ରାଶି ଦେବା ପାଇଁ ଘୋଷଣା କରିବା ସହ ନଡ଼ିଆ ବାଡାଇ ଏହାର ଶିଳାନ୍ୟାସ କରିଛନ୍ତି।
ଅଙ୍ଗନବାଡି କେନ୍ଦ୍ରରେ ଉପସ୍ଥିତ ଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ସିଡିପିଓ ଦୀପାଳି ମିଶ୍ର, ସୁପରଭାଇଜର ରଜନୀ ରାଉଳଙ୍କ ସହ କର୍ମୀ ଲିଜାରାଣୀ ପାଣ୍ଡଵ ଓ ସହାୟିକା ଶର୍ମିଷ୍ଠା ସେଠି ପିଲା ମାନଙ୍କୁ ଫୁଲ ଚନ୍ଦନଦେଇ ସ୍ୱାଗତ କରିଥିଲେ। ବିଧାୟକ ଶ୍ରୀ ସାହୁ ପିଲା ମାନଙ୍କୁ ଚକଲେଟ, ମୁଆଁ ବଣ୍ଟନ କରିଥିଲେ। ସିଡିପିଓ ଶ୍ରୀମତୀ ମିଶ୍ର ପିଲାମାନଙ୍କୁ ପଞ୍ଚତନ୍ତ୍ରର ବିଭିନ୍ନ କାହାଣୀ କହିଥିଲେ। ଏହା ପରେ ସେମାନଙ୍କୁ ଖାଦ୍ୟ ପରସା ଯାଇଥିଲା। ବିଧାୟକ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ୩ ମାସ ଧରି ଚାଲିଥିବା ସମସ୍ୟାର ସମସ୍ତଙ୍କ ସହଯୋଗରେ ଅନ୍ତ ଘଟିଛି ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆଜିର ଦିନରେ ଜାତି ପ୍ରଥାର ଗୁରୁତ୍ୱ ନାହିଁ। ଆଗକୁ ଏହା ଠିକ ଭାବରେ ଚାଲିବ।
ନିକଟରେ ରାଜ୍ୟସଭାରେ ଏହି ପ୍ରସଙ୍ଗକୁ ଉଠାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ବିରୋଧୀ ଦଳ ନେତା ତଥା କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲିକାର୍ଜୁନ ଖଡଗେ୍। ଏହା ପରେ ଗତ ୧୪ ତାରିଖ ଦିନ ଶିଶୁ ସୁରକ୍ଷା ଆୟୋଗ ଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ସେହି ଅଙ୍ଗନବାଡି କେନ୍ଦ୍ରରେ ପହଂଚି ଲୋକଙ୍କୁ ବୁଝେଇବାରେ ସଫଳ ହୋଇଥିଲେ। ଏହାପରେ ଲୋକେ ପିଲାଙ୍କୁ ଅଙ୍ଗନବାଡି କେନ୍ଦ୍ରକୁ ପଠାଇବା ପାଇଁ ଶପଥ ନେଇଥିଲେ। ଆଜି ସିଡିପିଓ ଓ ରାଜନଗର ବିଧାୟକ ଘର ଘର ବୁଲି ପିଲାଙ୍କୁ କାଖେଇ ସେଣ୍ଟର କୁ ଆଣିଥିଲେ। ତେବେ ଆଜିଠୁ ଅଙ୍ଗନବାଡି ସ୍ୱଭାବିକ ହେବ ବୋଲି ଗାଁ ଲୋକେ କହିଛନ୍ତି।
ଅଧିକ ପଢନ୍ତୁ: ରାଜ୍ୟସଭାରେ ଉଠିଲା କେନ୍ଦ୍ରାପଡ଼ା ଅଙ୍ଗନବାଡ଼ିର ଜାତିଗତ ଭେଦଭାବ ପ୍ରସଙ୍ଗ; ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ମଲିକାର୍ଜୁନ ଖଡଗେ୍