ନୂଆଦିଲ୍ଲୀ: ଚୀନର ସିଚୁଆନର କିଛି ଉପଗ୍ରହ ଚିତ୍ର ଭାରତର ଟେନସନ ବଢାଇ ଦେଇଛି । ୨୦୨୨ରୁ ୨୦୨୬ ପର୍ଯ୍ୟନ୍ତ ଉପଗ୍ରହ ଚିତ୍ରର ଅଧ୍ୟୟନରୁ ଜଣା ପଡିଛି ଯେ, ଚୀନ ସିଚୁଆନ ପ୍ରାନ୍ତରେ ଗୁପ୍ତ ଭାବେ ଆଣବିକ ଅସ୍ତ୍ରଶସ୍ତ୍ରର ଘାଟି ତିଆରି କରି ସାରିଛି । ନ୍ୟୁୟର୍କ ଟାଇମ୍ସର ରିପୋର୍ଟରେ ଏମିତି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଜିଓସ୍ପେଶାଲ ଇଣ୍ଟେଲିଜେନ୍ସ ବିଶେଷଜ୍ଞ ମୁତାବକ ୨୦୧୯ ପରଠୁ ଚୀନ ପରମାଣୁ ହତିଆରକୁ ନେଇ ଅଭିଯାନ ଜୋରଦାର କରିଛି ।
ସିଚୁଆନରେ ଜିଟଙ୍ଗ ନାମକ ଏକ ସ୍ଥାନରେ ପାହାଡିଆ ଘାଟି ମଧ୍ୟରେ ଚୀନ ବଡ ବଡ ବଙ୍କର ନିର୍ମାଣ କରିଛି । ଏଠାରେ ପାଇପର ଜାଲ ବିଛା ଯାଇଛି । ବିଶେଷଜ୍ଞଙ୍କ କହିବା କଥା ପାହାଡ ଖୋଳି ପରମାଣୁ ଆଡ୍ଡା ତିଆରି କରାଯାଇଛି । ଉଲ୍ଲେଖନୀୟ ସମଗ୍ର ଦୁନିଆରେ ପରମାଣୁ ହତିଆରକୁ ନେଇ ଉତ୍ତେଜନା ପୂର୍ବରୁ ହିଁ ରହି ଆସିଛି । ଏହି ପ୍ରସଙ୍ଗକୁ ନେଇ ଆମେରିକା ଓ ଇରାନ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଆମେରିକା ଧମକ ଦେଉଛି ଯେ, ଯଦି ଇରାନ ସହ ଡିଲ୍ ନ ହୁଏ ତେବେ ହମଲା କରାଯିବ । ଅନ୍ୟପଟେ ଚୀନର ଏହି ପରମାଣୁ ଅଭିଯାନ କେବଳ ଭାରତ ନୁହେଁ ବରଂ ପୂରା ଦୁନିଆ ପାଇଁ ଚିନ୍ତାର ବିଷୟ ।
ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ଜାରି ଫଟୋ ମୁତାବକ ଚୀନ ନିଜର ରଣନୈତିକ ସ୍ଥିତିକୁ ଲଗାତାର ମଜବୁତ କରି ଚାଲିଛି । ଆମେରିକା ୨୦୨୦ରେ ଦାବି କରିଥିଲା ଯେ, ଚୀନ ଗୋପନୀୟ ଭାବେ ପରମାଣୁ ପରୀକ୍ଷଣ କରୁଛି । ଡୋନାଲ୍ଡ ଟ୍ରମ୍ପଙ୍କ କହିବା କଥା ଚୀନ ଓ ରୁଷ ମିଶି ଆମେରିକା ସହିତ ଆଣବିକ ହତିଆର ନେଇ ଚୁକ୍ତି କରନ୍ତୁ । ଆମେରିକା କହିଛି ଯେ, ଆମେରିକା ଓ ରୁଷ ମଧ୍ୟରେ ଆଣବିକ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ପ୍ୟାକ୍ଟ ସମାପ୍ତ ହୋଇ ସାରିଛି । ସେଥିପାଇଁ ଚୀନକୁ ଭବିଷ୍ୟତର ଡିଲରେ ମଧ୍ୟ ସାମିଲ୍ ହେବା ଉଚିତ୍ ।
ପେଣ୍ଟାଗନର ରିପୋର୍ଟ ଅନୁଯାୟୀ, ୨୦୨୪ ଶେଷ ସୁଦ୍ଧା ଚୀନ ପାଖରେ ୫୦୦ରୁ ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ର ଥାଇପାରେ । ଆଉ ୨୦୩୦ ସୁଦ୍ଧା ଏହି ସଂଖ୍ୟା ଏକ ହଜାର କରିବାକୁ ଲକ୍ଷ୍ୟ ରଖିଛି ଚୀନ । ତଥାପି ଚୀନ ଏବେ ବି ଆଣବିକ ହତିଆରରେ ରୁଷ ଓ ଆମେରିକାଠୁ ବହୁତ ପଛରେ ରହିଛି । ଆଗାମୀ ୧୦ ବର୍ଷରେ ବି ଚୀନ ରୁଷର ସମକକ୍ଷ ହୋଇ ପାରିବ ନାହିଁ ।
ଭାରତ ପାଇଁ ଚିନ୍ତାର ବିଷୟ କାହିଁକି ?
ବିଶେଷଜ୍ଞ କହିବା କଥା ଚୀନ ପାଖରେ ପରମାଣୁ ହତିଆର ବୃଦ୍ଧି ହେବା କେବଳ ଭାରତ ନୁହେଁ ବରଂ ସମଗ୍ର ଦୁନିଆ ପାଇଁ ଚିନ୍ତାର ବିଷୟ । ମାସାଚୁସେଟସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେରେ ଜଣେ ଅଧିକାରୀ କହିଛନ୍ତି, ଏହି ଟ୍ରେଣ୍ଡ ବହୁତ ଚିନ୍ତାଜନକ । ଜିଟୋଙ୍କ ଓ ପେଙ୍ଗଟୋଙ୍ଗରେ ନିର୍ମାଣ ବହୁତ ଦ୍ରୁତ ଗତିରେ ଚାଲିଛି । ଏଠାରେ ଏକ ନୂତନ କମ୍ପେ୍ଲକ୍ସ ନିର୍ମାଣ କରାଯାଉଛି ।
Also read: ଏଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେନି ବୈଭବ ସୂର୍ଯ୍ୟବଂଶୀ, ଜାଣନ୍ତୁ କାରଣ