ନୂଆଦିଲ୍ଲୀ: ବିହାରର ସମସ୍ତିପୁରରୁ ଆସି କ୍ରିକେଟ୍ ଦୁନିଆରେ ଛାଇ ଯାଇଥିବା ଯୁବ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେ ନାହିଁ । ସେ ସିବିଏସଇ ବୋର୍ଡର ଛାତ୍ର । ମାତ୍ର ବର୍ତ୍ତମାନ ସେ କ୍ରିକେଟ୍ ଉପରେ ଧ୍ୟାନ ଦେବାକୁ ଚାହାନ୍ତି । ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ବୈଭବ ସୂର୍ଯ୍ୟବଂଶୀ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
ଆସନ୍ତା ମାସରେ ଆଇପିଏଲର ନୂଆ ସିଜିନ ଆରମ୍ଭ ହେଉଛି । ଗତ ସିଜିନରେ ବୈଭବ ଆଇପିଏଲରେ ପଦାର୍ପଣ କରିଥିଲେ । ଆଇପିଏଲ୍ ଇତିହାସରେ ସବୁଠୁ ଯୁବ ଖେଳାଳି ହେବା ସହ ଦ୍ରୁତତମ ଶତକ ମାରିବାର ରେକର୍ଡ ସୂର୍ଯ୍ୟବଂଶୀଙ୍କ ନାଁରେ ରହିଛି । ବୈଭବ ସୂର୍ଯ୍ୟବଂଶୀ ତାଜପୁର ପ୍ରଖଣ୍ଡର ମୋଡେଷ୍ଟି ସ୍କୁଲର ଛାତ୍ର । ଫେବୃଆରୀ ୧୭ରୁ ଆରମ୍ଭ ହେଉଥିବା ଦଶମ ବୋର୍ଡ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି ହୋଇ ସାରିଛି ।
ଗତ ସପ୍ତାହରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଜଣାଇଥିଲେ ଯେ, ସୂର୍ଯ୍ୟବଂଶୀ ପରୀକ୍ଷାକକୁ ନେଇ ସମସ୍ତ ଔପଚାରିକତା ପୂରଣ କରି ସାରିଛନ୍ତି । ତାଙ୍କ ପରୀକ୍ଷା କେନ୍ଦ୍ର ସହରର ପୋଦାର ଇଣ୍ଟରନ୍ୟାସନାଲ ସ୍କୁଲରେ ଥିଲା । ବୈଭବ ଯେଉଁଭଳି କମ ବୟସରେ ଷ୍ଟାର ହୋଇ ସାରିଛନ୍ତି, ତାକୁ ଦେଖି ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ଏକ ଚ୍ୟାଲେଞ୍ଜିଂ ଥିଲା ।
କ୍ରିକେଟର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ପାଇଁ ବୈଭବ ଏଥର ଦଶମ ବୋର୍ଡ ପରୀକ୍ଷା ଦେଇ ପାରିବେନି । ଏହାର କାରଣ ସେ ପଢାପଢି ପାଇଁ ଆବଶ୍ୟକ ସମୟ ଦେଇ ପାରି ନାହାନ୍ତି । ବୈଭବ ନିକଟତର ଲୋକ କହିଛନ୍ତି ଯେ, ବର୍ତ୍ତମାନ ତାଙ୍କର ପ୍ରାଥମିକତା ପ୍ରତିଯୋଗିତାମୂଳକ କ୍ରିକେଟରେ ନିଜର ସ୍ଥାନ ମଜବୁତ କରିବା ଏବଂ ମ୍ୟାଚ୍ ବିଜୟୀ ପ୍ରଦର୍ଶନ ଜାରି ରଖିବା ।
Also read: ଟି-୨୦ ବିଶ୍ବକପ: ପାକିସ୍ତାନକୁ ଶୋଚନୀୟ ପରାସ୍ତ କଲା ପରେ ସୁପର-୮ରେ ଭାରତର ସ୍ଥାନ ସୁରକ୍ଷିତ