ସାମ୍ନାକୁ ଆସିଲା ଭୈରବ ବାଟାଲିୟନ୍ ଯବାନଙ୍କ ସାହସ ଓ ପରାକ୍ରମ ସହ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଦମଦାର ଡାଇଲଗ ତା' ସାଙ୍ଗକୁ ଦେଖିବାକୁ ମିଳିଛି ଭୈରବ ବାଟାଲିୟନ୍ ଙ୍କ ତାକତ୍ । ଭାରତୀୟ ସେନା ପକ୍ଷରୁ ଜାରି ହୋଇଛି ଏକ ଭିଡିଓ ଯେଉଁଥିରେ ଅମିତାଭ ବଚ୍ଚନଙ୍କ ସୁନ୍ଦର ଡାଇଲଗ ରହିଛି, "ଭୈରବ ନାମ୍ ନେହିଁ ପେହେଚାନ୍" ଅର୍ଥାତ ଭୈରବ କେବଳ ଏକ ନାଁ ନୁହେଁ ପରିଚୟ, ଶତ୍ରୁଙ୍କ ଅନ୍ତର ଠୋସ ପ୍ରମାଣ"। ପ୍ରାୟ ୪ ମିନିଟର ଏହି ଭିଡିଓ ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତ ହୋଇଛି।
ଭାରତୀୟ ସେନାର ଭୈରବ ବାଟାଲିୟନ୍ ଯବାନଙ୍କ ଶକ୍ତି ଏହି ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଛି। ମହାଶିବରାତ୍ରି ଅବସରରେ ପୋଷ୍ଟ ହୋଇଥିବା ଏହି ଭିଡିଓରେ ଅମିତାଭ ବଚ୍ଚନଙ୍କ କଣ୍ଠସ୍ୱର ରହିଛି। ଭୈରବ ବାଟାଲିୟନ୍ ର ଭୂମିକା ଏଥିରେ ପ୍ରଦର୍ଶିତ ହୋଇଛି।
ଭୈରବକୁ ଭଗବାନ ଶିବଙ୍କ ଉଗ୍ର ରୂପ ଭାବେ ବିବେଚନା କରାଯାଏ। ‘ଭୈରବ ବାଟାଲିୟନ୍’ ହେଉଛି ଭାରତୀୟ ସ୍ଥଳସେନାର ନବଗଠିତ ୟୁନିଟ୍। ଆଧୁନିକ ଟେକନିକ୍ ସାଙ୍ଗକୁ ଆତଙ୍କବାଦୀଙ୍କୁ ମାରି ଗଡ଼ାଇବାର ଏକ ସୁରକ୍ଷା ସଂରଚନାର କବଚ ‘ଭୈରବ ବାଟାଲିୟନ୍’। ଆଗାମୀ ଦିନରେ ଆଧୁନିକ ଯୁଦ୍ଧକୁ ଆଖି ଆଗରେ ରଖି ଏହି ୟୁନିଟ୍ ଗଠନ କରାଯାଇଛି। ଭାରତୀୟ ସେନାର ଏହି ଏଲିଟ୍ କମାଣ୍ଡୋ ଫୋର୍ସ ଗତ ବର୍ଷ ଅକ୍ଟୋବର ମାସରେ ଗଠନ କରାଯାଇଥିଲା। ମେଜର ଅଞ୍ଜୁମ ଗୋରକାଙ୍କ ନେତୃତ୍ୱରେ ଯେତେବେଳେ ଏହି ସ୍ପେଶାଲ ଇନଫ୍ୟାଣ୍ଟ୍ରି ୟୁନିଟ୍ କର୍ତ୍ତବ୍ୟ ପଥକୁ ଓହ୍ଲାଇଥିଲା ସେତେବେଳର ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା।
ମୁହଁରେ ନାଲି ଏବଂ ଗାଢ଼ ସବୁଜ ରଙ୍ଗର ଲମ୍ବା ଗାର ଯାହାକୁ 'କ୍ୟାମୋଫ୍ଲାଜ ପେଣ୍ଟ' କୁହାଯାଏ। ରାତିର ଅନ୍ଧାର , ପାହାଡ଼ କିମ୍ବା ଜଙ୍ଗଲରେ ଶତ୍ରୁର ନଜରରୁ ବଞ୍ଚିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ବିଶ୍ୱର ବିଭିନ୍ନ ସ୍ପେଶାଲ ଫୋର୍ସ ଏବଂ କମାଣ୍ଡୋମାନେ ନିଜ ମୁହଁକୁ ଏହିପରି ରଙ୍ଗ କରିଥାନ୍ତି ଯାହାଫଳରେ ସେମାନେ ଅପରେସନ ସମୟରେ ଲୁଚି ରହି ଶତ୍ରୁ ଉପରେ ହଠାତ୍ ଆକ୍ରମଣ କରିପାରିବେ। ବାଟାଲିୟନର ପ୍ରତୀକ ଚିହ୍ନରେ ଏକ କୋବ୍ରା ସାପର ଚିତ୍ର ଅଛି ଯେଉଁଥିରେ 'ଭୈରବ, ଅଦୃଶ୍ୟ, ଅଦମ୍ୟ' ବୋଲି ଲେଖାଯାଇଛି । ଟିମ୍ କମାଣ୍ଡରଙ୍କ କହିବା ଅନୁଯାୟୀ, କୋବ୍ରା ଚିହ୍ନ ଶତ୍ରୁ ପାଇଁ ମୃତ୍ୟୁର ସଙ୍କେତ। ମୋଟାମୋଟି ଭାବେ କହିବାକୁ ଗଲେ ଭୈରବ ବାଟାଲିୟନ ଶତ୍ରୁମାନଙ୍କ ପାଇଁ ସାକ୍ଷାତ କାଳ ସଦୃଶ।