ଭୁବନେଶ୍ୱର: ଏଣିକି ରାଜଧାନୀ ରାସ୍ତାରେ ଚାଲିବାକୁ ଡର ଲାଗୁଛି । ରାଜଧାନୀ ବାସିନ୍ଦା ଘରୁ ବାହାରିଲେ ଲୁଟର ଶୀକାର ହେଉଛନ୍ତି । ସେ ସକାଳ ସମୟ ହେଉ କିମ୍ବା ଦ୍ୱିପହର କିମ୍ବା ରାତି କେତେବେଳେ ଆଉ ରାଜଧାନୀବାସିନ୍ଦା ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି । ଆଜି ଗୋଟିଏ ଦିନରେ ଭୁବନେଶ୍ୱରରେ ଦୁଇଟି ଦୁଇଟି ଲୁଟ୍ ହୋଇଛି । ପ୍ରଥମେ ଜଣେ ପୋଲିସ ଅଧିକାରୀଙ୍କ ବୃଦ୍ଧା ମାଙ୍କ ବେକରୁ ଲୁଟେରା ଚେନ୍ ଝାମ୍ପି ନେଇଥିବାବେଳେ ଦିନ ଦ୍ୱିପ୍ରହରରେ ଗୋଟିଏ ଗହଣା ଦୋକାନରୁ ଲୁଟ୍ ହୋଇଛି ।
ଆଜି ସକାଳେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ପୋଲିସ ଅଧିକାରୀଙ୍କ ମା'ଙ୍କ ବେକରୁ ଲୁଟେରା ସୁନା ଚେନ୍ ଝାମ୍ପି ନେଇଛନ୍ତି । ସକାଳ ସମୟରେ ପ୍ରାତଃ ଭ୍ରମଣରୁ ଆସିବା ବେଳେ ମହିଳାଙ୍କ ବେକରୁ ଚେନ୍ ଝାମ୍ପି ନେଇଛନ୍ତି । ଲୁଟ୍ ସମୟର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅନ୍ୟପକ୍ଷରେ ଦିନ ପ୍ରାୟ ଗୋଟାଏ ସମୟରେ ଗ୍ରାହକ ବେଶରେ ସାଜି ଲୁଟି ନେଇଛନ୍ତି ଲୁଟେରା । ଦୋକାନୀଙ୍କ ମୁହଁରେ ସ୍ପ୍ରେ ମାରି ଲୁଟ୍ କରିଛନ୍ତି । କଳିଙ୍ଗ ବିହାର ଶୁଭଲକ୍ଷ୍ମୀ ଜୁଏଲର୍ସକୁ ଜଣେ ବ୍ୟକ୍ତି ଗ୍ରାହକ ସାଜି ପ୍ରବେଶ କରିଥିଲେ । ମୁହଁ ମାସ୍କ ଥିଲା । ଭଉଣୀ ବାହାଘର ପାଇଁ ଗହଣା ନେବାକୁ ଦୋକାନୀଙ୍କୁ କହିଥିଲେ । ପ୍ରଥମେ ମହିଳା ଏବଂ ପୁରୁଷର ମୁଦି ଏବଂ ଚେନ୍ ଦେଖିଥିଲେ । ପୁଣି ନିଜ ପାଇଁ ମଧ୍ୟ ମୁଦି ଦେଖିଥିଲେ । ଏହା ପରେ କହିଥିଲେ ଯେ ଘର ଲୋକ ଆସୁଛନ୍ତି ଆସିକି ଦେଖି ସାରିଲେ ଟଙ୍କା ଦେଇ ଚେନ୍ ନେବେ । ଏହାରି ମଧ୍ୟରେ ଦୋକାନୀଙ୍କୁ ହିସାବ କରିବାକୁ କହିଥିଲେ । ଦୋକାନୀ ହିସାବ କରୁଥିବା ସମୟରେ ହାତରେ ମୁଦି ଧରି ଦୋକାନୀଙ୍କ ମୁହଁକୁ 'ପେପର୍ ସ୍ପ୍ରେ' (ଗୋଲ ମରିଚ ଗୁଣ୍ଡ ସ୍ପ୍ରେ) ମାରିଥିଲେ । ଦୋକାନୀଙ୍କ ଆଖିରେ ପ୍ରବଳ ଯନ୍ତ୍ରଣା ହେବା ସମୟରେ ମୁଦି ଧରି ଚମ୍ପଟ୍ ମାରିଥିଲେ । ଦୋକାନୀ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି ।
ସେପଟେ ଗୋଟିଏ ଦିନରେ ଏଭଳି ଦୁଇ ଦୁଇଟି ଲୁଟ୍ ଭୁବନେଶ୍ୱର କମିଶନରେଟ୍ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପୋଲିସ ପାରିବା ପଣିଆ ଉପରେ ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।