ଭୁବନେଶ୍ୱର: ମର୍ଚ୍ଚାଣ୍ଟ ନ୍ୟାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ମାମୁଁ ଓ ମା ନିରାଶ ହୋଇ ଫେରିଛନ୍ତି । ପୁଅର କୌଣସି ଖୋଜ ଖବର ନ ପାଇ ଫେରିଛନ୍ତି । କମ୍ପାନୀ କୌଣସି ପ୍ରକାର ସହଯୋଗ କରିନଥିବା ସେମାନେ ଅଭିଯୋଗ କରିଛନ୍ତି ।
ନିଖୋଜ ଥିବା ମର୍ଚ୍ଚାଣ୍ଟ ନ୍ୟାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ମାଆ ରଶ୍ମିତା ମହାପାତ୍ର ଏବଂ ମାମୁ ସିଙ୍ଗାପୁର ଯାଇଥିଲେ । ସାର୍ଥକଙ୍କ ମାମୁଁ ଏବଂ ମାଆ ସିଙ୍ଗାପୁରରୁ ଫେରି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ କମ୍ପାନୀ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କମ୍ପାନୀ କର୍ମଚାରଙ୍କ ବ୍ୟବହାର ଦେଖି ସେମାନଙ୍କର ସନ୍ଦେହ ଆହୁରି ଦୃଢ଼ୀଭୂତ ହୋଇଛି । କମ୍ପାନୀ ସେମାନଙ୍କ ପ୍ରତି କରିଥିବା ବ୍ୟବହାର ଦ୍ୱାରା ସାର୍ଥକକୁ ନେଇ କମ୍ପାନୀ ଉପରେ ସନ୍ଦେହ ଆହୁରି ଘନୀଭୂତ ହୋଇଛି । ସାର୍ଥକଙ୍କ ମାମୁଁ କହିଛନ୍ତି ଯେ ଯେଉଁ ଆଶା ନେଇ ଯାଇଥିଲୁ ତାହା ମୁଉଳି ଯାଇଛି । ସାର୍ଥକ କାମ କରୁଥିବା ଆଙ୍ଗଲୋ ଇଷ୍ଟର୍ଣ୍ଣ ସିପିଂ କମ୍ପାନୀ କୌଣସି ପ୍ରକାର ସହଯୋଗ କଲେନି । ସିଙ୍ଗାପୁରରେ ଥିବା ଭାରତୀୟ ହାଇକମିଶନର ଅଜୟ ସିଂ ମଧ୍ୟ ଭେଟିଥିଲେ । ସେମାନଙ୍କୁ କେବଳ ସାର୍ଥକଙ୍କ କ୍ୟାବିନକୁ ଯିବାକୁ ଅନୁମତି ଥିଲା । ଆଉ କୌଣସି ସ୍ଥାନକୁ ଯିବାକୁ କିମ୍ବା କାହାକୁ ଭେଟିବାକୁ ଅନୁମତି ଦିଆଗଲା ନାହିଁ । ସାର୍ଥକର ସହକର୍ମଚାରୀଙ୍କ ସହିତ ମଧ୍ୟ ବାର୍ତ୍ତାଳାପ କରିବାକୁ ଅନୁମତି ମିଳିନଥିଲା । ପାଖାପାଖି ୧୦ରୁ ୧୫ ଜଣ ଲୋକେ ସେମାନଙ୍କୁ ଘେରିକି ରହୁଥିଲେ । ଜାଣିଶୁଣି ସମୟ ଗଡ଼ାଇବା ସହିତ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଜାହାଜରୁ ବାହାର କରିଦେଇଥିଲେ । କମ୍ପାନୀ ସାର୍ଥକଙ୍କ ବାବଦରେ କୌଣସି ତଥ୍ୟ ଲୁଚାଉଥିବା ପରିବାର ସନ୍ଦେହ କରୁଛି ।
୨୩ ବର୍ଷୀୟ ସାର୍ଥକ ଜୁଲାଇ ୨୦୨୫ ରେ ଆଙ୍ଗଲୋ ଇଷ୍ଟର୍ଣ୍ଣ ସିପିଂ କମ୍ପାନୀର ସିପ୍ EA Jersey ରେ କ୍ୟାଡେଟ ଭାବେ ଯୋଗ ଦେଇଥିଲେ। ଗତ ୩ ତାରିଖରେ ଜାହାଜରେ ସିଙ୍ଗାପୁରରୁ ଚାଇନକୁ ଫେରିବା ସମୟରେ ମଝି ସମୁଦ୍ରରେ ରହସ୍ୟମୟ ଭାବେ ଗାୟବ ହୋଇଯାଇଥିଲେ । ସକାଳ ୬ଟା ୧୫ରେ ତାଙ୍କୁ ଶେଷଥର ପାଇଁ କ୍ୟାବିନକୁ ଯାଉଥିବା ଦେଖାଯାଇଥିଲା। କିନ୍ତୁ ସକାଳ ପ୍ରାୟ ୮ଟା ୩୦ରେ ଚିଫ୍ ଅଫିସର ତାଙ୍କ କ୍ୟାବିନ ଯାଞ୍ଚ କରିବାକୁ ଯାଇଥିବାବେଳେ ତାହା ଖାଲି ଥିଲା। ଏହାପରେ ସମଗ୍ର ଜାହାଜରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା । ମାତ୍ର ସାର୍ଥକଙ୍କର କୌଣସି ସନ୍ଧାନ ମିଳିନଥିଲା ।