ଭୁବନେଶ୍ୱର: ବିଜୁ ଜନତା ଦଳରୁ ନିଲମ୍ବିତ ହେବା ପରେ ଦୁଇ ବିଧାୟକ ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ରଙ୍କ ବିଧାନସଭା ଆସନ ମଧ୍ୟ ବଦଳି ଯାଇଛି । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଉଭୟ ବିଧାୟକ ପରିବର୍ତ୍ତିତ ଆସନରେ ବସିଛନ୍ତି ।
ଆଜିଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି । ଗୃହରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ବିଧାନସଭାର ନିୟମ ମୁତାବକ ବିଜେଡ଼ିରୁ ନିଲମ୍ବିତ ହୋଇଥିବା ଦୁଇ ଜଣ ବିଧାୟକଙ୍କ ଆସନକୁ ବଦଳାଯାଇଛି । ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ସିଟ୍ ସଂଖ୍ୟା ଏଫ୍୧୪ ରୁ ବଦଳି ଏଫ୍ ୨୧ ହୋଇଛି । ବିଜେଡ଼ିର ସରୋ ବିଧାୟକ ମାଧବ ଧଡ଼ାଙ୍କ ଆସନରେ ସନାତନ ମହାକୁଡ଼ ବସିବେ । ସେହିପରି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ବିଧାନସଭା ଆସନ ସଂଖ୍ୟା ଜି-୧୯ରୁ ଏଫ୍- ୧୯ ହୋଇଛି । ଅରବିନ୍ଦଙ୍କ ଆସନ ସୁନିଲ ମହାନ୍ତିଙ୍କ ସହିତ ପରିବର୍ତ୍ତନ କରାଯାଇଛି ।
ପ୍ରକାଶ ଯୋଗ୍ୟ, ଜାନୁଆରୀ ୧୫ ତାରିଖରେ ଦଳ ବିରୋଧୀ କାର୍ୟ୍ୟ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ନିଲମ୍ବନ କରିଥିଲେ ।