ନୂଆଦିଲ୍ଲୀ: କଣ ଟିମ୍ ଇଣ୍ଡିଆର କୋଚ୍ ଗୌତମ ଗମ୍ଭୀର ନିଜର କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେଇ ଦେବେ ? ଏହି ପ୍ରଶ୍ନ ଏଥିପାଇଁ ଏବେ ଉଠିଛି କାରଣ ଆଇପିଏଲ୍ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସର ଭାବି ମାଲିକାନା ତରଫରୁ ଗମ୍ଭୀରଙ୍କୁ ସିଇଓ, ପାର୍ଟନର ଏବଂ ମେଣ୍ଟର କରିବାର ପ୍ରସ୍ତାବ ମିଳିଛି । ଯଦି ଗୌତମ ଗମ୍ଭୀରଏହି ପ୍ରସ୍ତାବକୁ ସ୍ୱୀକାର କରନ୍ତି ତେବେ ଟିମ୍ ଇଣ୍ଡିଆର ହେଡ୍ କୋଚ୍ ପଦରୁ ଇସ୍ତଫା ଦେବାକୁ ପଡିବ ।
ହିନ୍ଦୀ ଖବର କାଗଜ ଦୈନିକ ଜାଗରଣର ରିପୋର୍ଟ ମୁତାବକ ରାଜସ୍ଥାନ ରୟାଲ୍ସର ନୂଆ ମ୍ୟାନେଜମେଣ୍ଟ ଗୌତମ ଗମ୍ଭୀରଙ୍କୁ ନିଜର ପାର୍ଟନର, ମେଣ୍ଟର ଓ ସିଇଓ କରିବାକୁ ଚାହୁଁଛି । ଫ୍ରାଞ୍ଚାଇଜର ତିନି ନୂଆ ମାଲିକ ମଧ୍ୟରୁ ଜଣେ ଗମ୍ଭୀରଙ୍କୁ ଏହି ଅଫର ଦେଇଛନ୍ତି ।
ଦୈନିକ ଜାଗରଣର ରିପୋର୍ଟ ମୁତାବକ ରାଜସ୍ଥାନ ରୟାଲ୍ସର ଅଧିକାଂଶ ସେୟାର ହୋଲଡର ନିଜର ସେୟାର ନୂଆ ମାଲିକାନାକୁ ବିକ୍ରି କରିବାକୁ ଚାହୁଁଛନ୍ତି । ଡିଲ୍ ହସ୍ତାନ୍ତରଣ ପ୍ରାଥମିକ ପର୍ଯ୍ୟାୟରେ ରହିଛି । ରିପୋର୍ଟ ମୁତାବକ ଫ୍ରାଞ୍ଚାଇଜର ୩ ନୂଆ ମାଲିକଙ୍କ ମଧ୍ୟରୁ ଜଣେ ଗୌତମ ଗମ୍ଭୀରଙ୍କ ସହ ଯୋଗାଯୋଗ କରିଛନ୍ତି । ତାଙ୍କୁ ଫ୍ରାଞ୍ଚାଇଜରେ ୨-୩ ପ୍ରତିଶତ ଅଂଶଧନ ଦେବା ସହିତ ସିଇଓ ଓ ମେଣ୍ଟର କରାଯିବାକୁ ପ୍ରସ୍ତାବ ଦେଇଛନ୍ତି ।
ଗୌତମ ଗମ୍ଭୀର ଯେ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଅଛନ୍ତି ସେ ପର୍ଯ୍ୟନ୍ତ ଚାହିଁ ମଧ୍ୟ ରାଜସ୍ଥାନ ରୟାଲ୍ସର ଏହି ଅଫର ଗ୍ରହଣ କରି ପାରିବେ ନାହିଁ । ଯଦି ରାଜସ୍ଥାନ ରୟାଲ୍ସର ଅଫରକୁ ସେ ସ୍ୱୀକାର କରନ୍ତି ତେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେବାକୁ ପଡିବ । କିନ୍ତୁ ଗମ୍ଭୀର ଟିମ୍ ଇଣ୍ଡିଆର କୋଚ୍ ପଦ ପାଇଁ ପ୍ରତିବଦ୍ଧ ଥିବା ସୂତ୍ରରୁ ପ୍ରକାଶ ।
୨୦୨୭ ଦିନିିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ରହିଛି ଗମ୍ଭୀରଙ୍କ କାର୍ଯ୍ୟକାଳ
ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଭାବେ ଗମ୍ଭୀରଙ୍କ କାର୍ଯ୍ୟକାଳ ୨୦୨୭ ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ରହିଛି । ତାଙ୍କ କାର୍ଯ୍ୟକାଳରେ ଟିମ୍ ଇଣ୍ଡିଆର ଟେଷ୍ଟ ପ୍ରଦର୍ଶନ ଶୋଚନୀୟ ରହିଛି । କିନ୍ତୁ ସୀମିତ ଓଭର କ୍ରିକେଟ୍ ବିଶେଷ କରି ଟି-୨୦ରେ ଦଳର ପ୍ରଦର୍ଶନ ଦମଦାର ରହିଛି । ଟେଷ୍ଟ ପ୍ରଦର୍ଶନ କାରଣରୁ ସର୍ବଦା ନୂଆ କୋଚ୍ ଦାବି ଉଠି ଆସିଛି । ଗମ୍ଭୀର ୨୦୨୪ ଜୁଲାଇରୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଦାୟିତ୍ୱ ସମ୍ଭାଳିଥିଲେ ।
Also read: ଭାରତର ମାଷ୍ଟରଷ୍ଟ୍ରୋକ ! ଫ୍ରାନ୍ସ ଦେବ ରାଫେଲ, ବଦଳରେ ନେବ ପିନାକ