ଭୁବନେଶ୍ୱର: ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ପ୍ରବେଶ ଅବଧିକୁ ବୃଦ୍ଧି କରାଯାଇଛି । ଏଣିକି ୯ଟା ୩୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାକୁ ଅନୁମତି ମିଳିବ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ।
ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାକୁ ଛାତ୍ରଛାତ୍ରୀଙ୍କ ପାଇଁ ୯ଟା ୧୫ ମିନିଟ୍ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଆଉ ୧୫ ମିନିଟ୍ ସମୟ ବୃଦ୍ଧି କରାଯାଇଛି । ଅର୍ଥାତ ପରୀକ୍ଷାର୍ଥୀମାନେ ୯ଟା ୩୦ ପର୍ଯ୍ୟନ୍ତ ପ୍ରବେଶ କରିପାରିବେ ବୋଲି ସଭାପତି କହିଛନ୍ତି । ତେବେ ପରୀକ୍ଷା ସମୟରେ ଯଦି କେହି କପି ଯୋଗାନ୍ତି କିମ୍ବା କୌଣସି ଅନିୟମିତତା କରୁଥିବା ନଜରକୁ ଆସେ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବୋର୍ଡ ସଭାପତି ।
ଆସନ୍ତା ୧୯ ତାରିଖରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ଚଳିତ ବର୍ଷ ରାଜ୍ୟର ୩୦୮୨ ସେଣ୍ଟରରେ ମୋଟ ୫ ଲକ୍ଷ ୬୧ ହଜାର ୯୭୯ ପିଲା ପରୀକ୍ଷା ଦେବେ । ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି । କପି ରୋକିବାକୁ ପ୍ରତି ପ୍ରଶ୍ନପତ୍ର ଏବଂ ଉତ୍ତର ଖାତାରେ ୱାଟର୍ ମାର୍କ ଓ କ୍ୟୁଆର୍ କୋଡ୍ ରଖାଯାଇଛି । ଯଦି ଲିକ୍ ହୁଏ ତେବେ ତାହା କେଉଁ ପିଲାର ବୋଲି ଜଣାପଡ଼ିଯିବ । ଚିନ୍ତା ମୁକ୍ତ ହୋଇ ପରୀକ୍ଷା ଦେବାକୁ ଯିବାକୁ ପିଲାଙ୍କୁ ପରାମର୍ଶ ଦେଇଛନ୍ତି ବୋର୍ଡ ସଭାପତି ।