ମୁମ୍ବାଇ: ହିନ୍ଦୀ ସିନେମାର ବରିଷ୍ଠ ଲେଖକ ସଲିମ ଖାନଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଖବର ଆସୁଛି ଯେ ସୁପରଷ୍ଟାର ସଲମାନ ଖାନଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି, ଏବଂ ସଲିମଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। କିନ୍ତୁ, ତାଙ୍କୁ କାହିଁକି ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ଠୋସ୍ ସୂଚନା ନାହିଁ। ପରିବାରର ଅନେକ ସଦସ୍ୟ ଲଗାତାର ହସ୍ପିଟାଲରେ ପହଞ୍ଚିବା ଦେଖାଯାଉଛି। ତାଙ୍କୁ ହସ୍ପିଟାଲର ଆଇସିୟୁରେ ରଖାଯାଇଛି ବୋଲି ଖବର ଆସିଛି।
ଆଜି ମଙ୍ଗଳବାର ସକାଳେ ସଲମାନ ଖାନଙ୍କୁ ହସ୍ପିଟାଲରେ ଦେଖାଯାଇଥିଲା। ଅଭିନେତାଙ୍କୁ ହସ୍ପିଟାଲରୁ ବାହାରକୁ ଆସୁଥିବାର ଦେଖାଯାଇଥିଲା ଯେଉଁଠାରେ ତାଙ୍କ ସହିତ କିଛି ସୁରକ୍ଷା କର୍ମୀ ମଧ୍ୟ ଉପସ୍ଥିତ ଥିଲେ। ସଲମାନଙ୍କ ବ୍ୟତୀତ ସଲିମ ଖାନଙ୍କ ଜ୍ୱାଇଁ ଅତୁଲ ଅଗ୍ନିହୋତ୍ରୀ ଏବଂ ଆୟୁଷ ଶର୍ମାଙ୍କୁ ମଧ୍ୟ ହସ୍ପିଟାଲ ବାହାରେ ଦେଖିବାକୁ ମିଳିଥିଲା। ଝିଅ ଅଲଭିରା ମଧ୍ୟ ତାଙ୍କ ବାପାଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ।
୯୦ ବର୍ଷୀୟ ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିବା ଖବର ସିନେ ଜଗତ ପାଇଁ ଚିନ୍ତା ସୃଷ୍ଟି କରିଛି। ହେଲେ ସଲିମ ଖାନଙ୍କ ସମ୍ପର୍କରେ ପରିବାର ପକ୍ଷରୁ କୌଣସି ବୟାନ ଦିଆଯାଇ ନାହିଁ । ସେ ହସ୍ପିଟାଲରେ ଭର୍ତ୍ତି ହେବା ଖବର ପ୍ରଶଂସକ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ସଲିମ୍ ଖାନ "ଜଞ୍ଜିର," "ଶୋଲେ," ଏବଂ "ଡନ୍" ଭଳି ବ୍ଲକବଷ୍ଟର ଫିଲ୍ମ ପାଇଁ କାହାଣୀ ଲେଖିଥିଲେ। ସେ ସମ୍ପ୍ରତି ନଭେମ୍ବର ୨୪, ୨୦୨୫ରେ ତାଙ୍କର ୯୦ତମ ଜନ୍ମଦିନ ପାଳନ କରିଥିଲେ। ସଲିମ୍-ଜାଭେଦ୍ ଯୋଡ଼ିକୁ ଚଳଚ୍ଚିତ୍ର ଶିଳ୍ପର ସବୁଠାରୁ ଚର୍ଚ୍ଚିତ ଯୋଡ଼ିମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ।
ଅଧିକ ପଢନ୍ତୁ: କମେଡିଆନ୍ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ୍; ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା
.