ନୂଆଦିଲ୍ଲୀ: ପୁଣି କିଛି ଦିନର ଅନ୍ତରାଳ ପରେ ଭୟଙ୍କର ବିସ୍ଫୋରଣରେ ଥରିଛି ପାକିସ୍ତାନ। ଯେଉଁଥିରେ ୧୧ ଜଣ ପୋଲିସ କର୍ମଚାରୀଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ମହିଳା ଏବଂ ପିଲାଙ୍କ ସମେତ ୭ ଜଣ ଗୁରୁତର ହୋଇଛନ୍ତି । ଉତ୍ତର-ପଶ୍ଚିମରେ ବାଜୌରରେ ଏକ ଚେକ୍ ପୋଷ୍ଟ ନିକରେ ଆତଙ୍କାବାଦୀ ଆକ୍ରମଣ ହୋଇଥିବା ପାକିସ୍ତାନୀ ସେନା ଦାବି କରିଛି ।
ଆଇଏସପିଆର୍ ମୁତାବକ, ଫିତନା ଅଲ-ଖାୱାରିଜ ସହିତ ଜଡିତ ଖାୱାରିଜମାନେ ବାଜୌର ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ଏକ ମିଳିତ ଚେକ୍ ପଏଣ୍ଟ ଉପରେ ଏକ ଆତଙ୍କବାଦୀ ଆକ୍ରମଣ ଉଦ୍ୟମ କରିଛନ୍ତି । ତେବେ ପାକିସ୍ତାନୀ ସେନା ଏଥିରେ ଭାରତ ଉପରେ ସମସ୍ତ ଦୋଷ ଲଦିବାକୁ ହୀନ ପ୍ରୟାସ କରିଛି । ପାକିସ୍ତାନ ଦାବି କରିଛି ଯେ ଆକ୍ରମଣରେ ୧୨ ଜଣ ଆକ୍ରମଣକାରୀ ମଧ୍ୟ ନିହତ ହୋଇଛନ୍ତି। ବିସ୍ଫୋରଣର ପ୍ରଭାବ ନିକଟସ୍ଥ କୋଠା ଗୁଡ଼ିକ ଉପରେ ପଡ଼ିଥିଲା । ଯେଉଁଥିରେ ଜଣେ ନାବାଳିକାର ମଧ୍ୟ ମୃତ୍ୟୁ ହୋଇଛି । ସମ୍ପୃକ୍ତ ସ୍ଥାନରେ ପାକିସ୍ତାନୀ ସେନା ତଦନ୍ତ ଆରମ୍ଭ କରିଦେଇଛି ।
ପ୍ରକାଶ ଯୋଗ୍ୟ, ଚଳିତ ମାସ ୬ ତାରିଖରେ ପାକିସ୍ତାନର ଇସଲାମବାଦର ଶେହଜାଦ ତର୍ଲାଇ ଇମାମବରଗାହରେ ଏକ ମସଜିଦରେ ବୋମା ବିସ୍ଫୋରଣରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା । ୬୦ରୁ ଅଧିକ ଗୁରୁତର ହୋଇଛନ୍ତି । ଗତବର୍ଷ ନଭେମ୍ବର ୧୧ରେ ଇସଲାମାବାଦର ଜି-୧୧ ଅଞ୍ଚଳରେ ଏକ ଜିଲ୍ଲା ଏବଂ ସେସନ୍ସ କୋର୍ଟ କୋଠା ବାହାରେ ଏକ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା । ସେହି ସମୟରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୦ ରୁ ଅଧିକ ଆହତ ହୋଇଥିଲେ। ତିନି ମାସ ମଧ୍ୟରେ ପୁଣି ଥରେ ଇସଲାମାବାଦରେ ବିସ୍ଫୋରଣ ହୋଇଛି।