ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବିଶ୍ୱକପ୍ ଜିତିଆ ଆଶା ମଉଳି ଯାଇଛି । ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ରୁ ଅଷ୍ଟ୍ରେଲିଆ ଟିମ୍ ବାହାରି ଯାଇଛି । ବର୍ଷା ଯୋଗୁଁ ମଙ୍ଗଳବାର ହେବାକୁ ଥିବା ଆୟର୍ଲାଣ୍ଡ ଏବଂ ଜିମ୍ବାୱେ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରୁପ୍ ବି ମ୍ୟାଚ୍ ବାତିଲ ହୋଇଛି । ଫଳରେ ଅଷ୍ଟ୍ରେଲିଆ ଏବଂ ଆୟର୍ଲାଣ୍ଡ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି ।
ଶ୍ରୀଲଙ୍କାର ପାଲ୍ଲେକେଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆଜି ଆୟର୍ଲାଣ୍ଡ ଏବଂ ଜିମ୍ବାୱେ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ବର୍ଷା ଯୋଗୁଁ ଗୋଟିଏ ବଲ୍ ଖେଳ ହୋଇପାରିନଥିଲା । ଶେଷରେ ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହୋଇଥିଲା । ଏହା ପରେ ବୈଷୟିକ ଭାବରେ କୌଣସି ଦଳ ଜିତି ନଥିଲେ କିନ୍ତୁ ପରିସ୍ଥିତି ଜିମ୍ବାୱେକୁ ସବୁଠାରୁ ଅଧିକ ଲାଭ ଦେଇଥିଲା । ଆଜିର ଫଳାଫଳ ସହିତ ଜିମ୍ବାୱେ ଶ୍ରେଷ୍ଠ ଆଠ ଦଳରେ ସ୍ଥାନ ସୁରକ୍ଷିତ କରିଥିଲା। ଟେକ୍ନିକାଲି ଅଷ୍ଟ୍ରେଲିଆ ଏବଂ ଆୟର୍ଲାଣ୍ଡ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲେ। ଜିମ୍ବାୱେ ତିନୋଟି ମ୍ୟାଚ୍ ମଧ୍ୟରୁ ଦୁଇଟି ଜିତିଥିଲା ଏବଂ ଗୋଟିଏ ରଦ୍ଦ ହୋଇଥିଲା । ଯାହା ଜିମ୍ବାୱେକୁ ପାଞ୍ଚ ପଏଣ୍ଟ ଦେଇଥିଲା।
ସେହିପରି ଶ୍ରୀଲଙ୍କା ତିନୋଟି ମ୍ୟାଚ୍ ମଧ୍ୟରୁ ତିନୋଟି ଜିତି ଏହି ଗ୍ରୁପ୍ରୁ ଯୋଗ୍ୟତା ଅର୍ଜନ କରିସାରିଛି। ଆୟର୍ଲାଣ୍ଡ ଚାରୋଟି ମ୍ୟାଚ୍ ଖେଳିଛି, ଗୋଟିଏ ଜିତିଛି ଏବଂ ଦୁଇଟି ହାରିଛି । ମୋଟ ୩ ପଏଣ୍ଟ ଅଛି, କିନ୍ତୁ ଦଳର ନେଟ୍ ରନ୍ ରେଟ୍ କମ୍ (୦.୧୫୦) ସହ ଦଳ ଦୁର୍ବଳ ସ୍ଥିତିରେ ଥିଲା । ଅଷ୍ଟ୍ରେଲିଆ ତିନୋଟି ମ୍ୟାଚ୍ ଖେଳିଛି, ଗୋଟିଏ ଜିତିଛି ଏବଂ ଦୁଇଟି ହାରିଛି ଏବଂ ଦୁଇଟି ପଏଣ୍ଟ ମଧ୍ୟ ପାଇଛି। ସେମାନଙ୍କର ନେଟ୍ ରନ୍ ରେଟ୍ ୦.୪୧୪ରେ ଭଲ ଥିଲା । ମାତ୍ର କଙ୍ଗାରୁ ଦଳର ଜିତିବା ମ୍ୟାଚ୍ ଠାରୁ ହାରିବା ମ୍ୟାଚ୍ ଅଧିକ ରହିଥିଲା । ଯେଉଁଥିପାଇଁ ଦଳ ଆଜି ବିଶ୍ୱ କପରୁ ବାଦ ପଡ଼ିଛି । ତେବେ ଓମାନ ତିନୋଟି ମ୍ୟାଚ୍ ଖେଳି ପରାସ୍ତ ହୋଇଛି । ଫଳରେ ଦଳକୁ କୌଣସି ପଏଣ୍ଟ ମିଳିନାହିଁ । ଦଳର ନେଟ୍ ରନ୍ ହାର ଯଥେଷ୍ଟ ହ୍ରାସ ପାଇଲା -୪.୫୪୬ରେ ପହଁଚିଥିଲା ।