ବେଲଘର: କନ୍ଧମାଳ ବେଲଘର ରେଞ୍ଜ ହାତୀ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ହାତୀର ଅସ୍ୱାଭାବିକ ମୃତ୍ୟୁ ପାଇଁ ରାଜ୍ୟ ସରକାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ)ଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି।
ସରକାରୀ ସୂଚନା ଅନୁଯାୟୀ ବେଲଘର ସଂରକ୍ଷିତ ଜଙ୍ଗଲରେ ଏକ ହାତୀର ଅସ୍ୱାଭାବିକ ମୃତ୍ୟୁକୁ ପରିଚାଳନା କରିବାରେ ଅବହେଳା ପାଇଁ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ବାଲିଗୁଡ଼ା ଡିଏଫଓ ଘନଶ୍ୟାମ ମହାନ୍ତଙ୍କୁ ନୋଟିସ୍ ଜାରି କରିଛି।
ନୋଟିସ୍ ରେ ଉଲ୍ଲେଖ କରାଯାଇଛି ଯେ ଜାନୁଆରୀ ୫ ତାରିଖରେ ହାତୀର ମୃତଦେହ ଚିହ୍ନଟ ହୋଇଥିଲା ଏବଂ ଚିହ୍ନଟ ହେବାର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ, କଲେକ୍ଟର, ଆରସିସିଏଫ ଏବଂ ସରକାରଙ୍କୁ ପ୍ରାଥମିକ ରିପୋର୍ଟ ଦାଖଲ କରିନଥିଲେ ଡିଏଫଓ। ଯାହା ଦ୍ଵାରା ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ହୋଇଥିଲା।
ଘଟଣା ମୁତାବିକ, କନ୍ଧମାଳ ବେଲଘର ରେଞ୍ଜ ଝିରିପାଣି ପଞ୍ଚାୟତକ ସିମିଲିପଦର ନିକଟସ୍ଥ ମଣ୍ଡୁଟି ଜଙ୍ଗଲରେ ଏକ ହାତୀର ମୃତ୍ୟୁ ହୋଇଥିଲା। ଜାନୁଆରି ୫ ତାରିଖରେ ହାତୀର ମୃତ୍ୟୁ ହୋଇଥିଲା। ତେବେ ହାତୀ ମୃତ୍ୟୁ କେମିତି ହେଲା ତାହାର ତଦନ୍ତ କରାଯାଉଥିବା ଡିଏଫଓ କହିଥିଲେ। ଏହା ଭିତରେ ମାସକରେ୨ ହାତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାକୁ ଚପା ଯାଇଥିଲା।
ଡିସେମ୍ବର ୧୨ରେ ଝିରିପାଣିରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା ଏବଂ ଜାନୁଆରୀ ୫ରେ ମୁଣ୍ତୁଟି ଜଙ୍ଗଲରେ ଆଉ ଏକ ହାତୀର ହୋଇଥିବା ଅଭିଯୋଗ ହେଇଥିଲା। ମାତ୍ର ଘଟଣାକୁ ଚାପି ଦିଆଯାଇଥିଲା ଏବଂ ହାତୀର ମୃତ୍ୟ ଦେହକୁ ଲୁଚାଯାଇଥିଲା। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଠାରୁ ଜଣା ଯାଇଥିଲା ଯେ କଡାପାନ ନର୍ସରୀରେ ହାତୀ ମୃତଦେହ ପୋତି ଦିଅଯାଇଥିଲା ଏବଂ ଘଟଣାକୁ ଚାପି ଦେବାକୁ ଚେଷ୍ଟା କାରାଯାଇଥିଲା। ଅନ୍ୟପଟେ ଏହି ଘଟଣା ଜଣାପଡିବା ପରେ ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବିତ କରିଥିଲେ ଡିଏଫ୍ଓ। ଏବେ ରାଜ୍ୟ ସରକାର ଏହି ଘଟଣାରେ ବାଲିଗୁଡ଼ା ଡିଏଫଓ ଘନଶ୍ୟାମ ମହାନ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି। ୧୫ ଦିନ ମଧ୍ୟରେ ସ୍ପଷ୍ଟ କରିବାକୁ ନୋଟିସ୍ ରେ ଉଲ୍ଲେଖ କରାଯାଇଛି।
ଅଧିକ ପଢନ୍ତୁ: ଆହୁରି ବଢ଼ିଗଲା ବେକାରୀ ହାର; ଜାନୁଆରୀରେ ଦେଶର ବେରୋଜଗାରି ୫%କୁ ବୃଦ୍ଧି