ଗଞ୍ଜାମ: ଯୌନ ନିର୍ଯ୍ୟାତନା ଅଭିଯୋଗ ପରେ ବିଷ ପିଇ ଦେଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗଞ୍ଜାମ ଜିଲ୍ଲା ଚିକିଟି ପିଇଓ ଦଣ୍ଡପାଣି ପାତ୍ର । ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।
ପିଇଓଙ୍କ ବିରୁଦ୍ଧରେ ଜଣେ ଅତିରିକ୍ତ ମହିଳା ତହସିଲଦାର ଅଶାଳୀନ ବ୍ୟବହାରର ଅଭିଯୋଗ ଆଣିଥିଲେ । ଯାହା ପରେ ପିଇଓ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଦୀର୍ଘ ଦିନ ଚିକିତ୍ସା ପରେ ସେ ପ୍ରାଣ ହରାଇଛନ୍ତି ।
ଜଣେ କାର୍ଯ୍ୟରତ ଅତିରିକ୍ତ ମହିଳା ତହସିଲଦାରଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ଗୋଳନ୍ଥରା ଥାନାରେ ମାମଲାରେ ରୁଜୁ ପରେ ସମ୍ପୃକ୍ତ ପିଇଓ ବିଷ ପିଇ ଦେଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ନିର୍ଯ୍ୟାତନା ସହି ନପାରି ପିଇଓ ବିଷ ପିଇ ଦେଇଥିବା ନେଇ ତାଙ୍କ ପତ୍ନୀ ଅତିରିକ୍ତ ତହସିଲଦାରଙ୍କ ବିରୁଦ୍ଧରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୩ ତାରିଖରେ ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମି ମହୋତ୍ସବର ପ୍ରଥମ ଦିନ ଉଦଘାଟନ ଉତ୍ସବ ଅବସରରେ ଏକ ଗଣଦୌଡ଼ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଣେ ମହିଳା ଅତିରିକ୍ତ ତହସିଲଦାର ଡ୍ୟୁଟିରେ ଥିଲେ । ଏହି ସମୟରେ ଗହଳି ଭିତରେ ପିଇଓ ତାଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଯୌନ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ । ଏ ନେଇ ସେ ଆଭ୍ୟନ୍ତରିଣ ଅଭିଯୋଗ କମିଟି ସମେତ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉପଜିଲ୍ଲାପାଳ ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପିଇଓଙ୍କୁ ଥାନାରୁ ଡକରା ଆସିବା ପରେ ସେ ଥାନାକୁ ଯାଇଥିଲେ । ଥାନାରୁ ଆସିବା ପରେ ମାନସିକ ଭାରସାମ୍ୟ ହରାଇ ହଠାତ ବିଷ ପିଇଦେଇଥିଲେ । ଏ ନେଇ ପତ୍ନୀ ମଧ୍ୟ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ।