ନୂଆଦିଲ୍ଲୀ: ଇତିହାସ ରଚିଲା ଜମ୍ମୁ-କାଶ୍ମୀର । ୬୭ ବର୍ଷ ଇତିହାସରେ ପ୍ରଥମ ଥର ରଣଜୀ ଟ୍ରଫି ଫାଇନାଲରେ ପହଞ୍ଚିଲା ଦଳ । ବୁଧବାର ସେମି ଫାଇନାଲର ଚତୁର୍ଥ ଦିନରେ ଦୁଇ ଥରର ପୂର୍ବତନ ଚାମ୍ପିଅନ ପଶ୍ଚିମବଙ୍ଗକୁ ଛଅ ୱିକେଟରେ ହରାଇଛି । ପଶ୍ଚିମବଙ୍ଗ ଜମ୍ମୁ-କାଶ୍ମୀର ସାମ୍ନାରେ ୧୨୬ ରନ ବିଜୟ ଲକ୍ଷ୍ୟ ରଖିଥିଲା । ଯାହାକୁ ୩୪.୪ ଓଭରରେ ୪ ୱିକେଟ୍ ହରାଇ ହାସଲ କରି ନେଇଛି ଜମ୍ମୁ-କାଶ୍ମୀର । ଦଳ ପକ୍ଷରୁ ବଂଶଜ ଶର୍ମା ଅପରାଜିତ ୪୩ ରନ ଓ ଅବଦୁଲ ସାମଦ ଅପରାଜିତ ୩୦ ରନ କରି ଦଳକୁ ଜିତାଇଛନ୍ତି । ଏହା ପୂର୍ବରୁ ଦ୍ରୁତ ବୋଲର ଆକିବ ନବି ମ୍ୟାଚରେ ୯ ୱିକେଟ ନେଇ ଦଳ ବିଜୟରେ ପ୍ରମୁଖ ବିନ୍ଧାଣି ରହିଛନ୍ତି । ଏବେ ପ୍ରଥମ ରଣଜୀ ଟାଇଟଲଠୁ ଗୋଟିଏ ପାଦ ଦୂରରେ ଜମ୍ମୁ-କାଶ୍ମୀର ।
ଜମ୍ମୁ-କାଶ୍ମୀର ପ୍ରଥମ ଥର ୧୯୫୯-୬୦ ସିଜିନରେ ରଣଜୀ ଟ୍ରଫିରେ ଅଂଶଗ୍ରହଣ କରିଥିଲା । ତେବେଠୁ ନେଇ ଆଜି ପର୍ଯ୍ୟନ୍ତ ଦଳ କେବେ ଟାଇଟଲ ଜିତିବା ପାଇଁ ଦାବିଦାର ନ ଥିଲା । ଜମ୍ମୁ-କାଶ୍ମୀର ଏହି ସିଜିନ ପୂର୍ବରୁ ୩୩୪ ମ୍ୟାଚ୍ ଖେଳିଥିଲା । ଏଥିରୁ ଦଳ କେବଳ ୪୫ ମ୍ୟାଚ୍ ଜିତିଥିଲା । ନିଜର ପ୍ରଥମ ରଣଜୀ ମ୍ୟାଚ୍ ଜିତିବା ପାଇଁ ଦଳକୁ ୪୪ ବର୍ଷ ଲାଗିଥିଲା ।
ଦଳ ନକଆଉଟରେ ସହଜରେ କେବେ ପହଞ୍ଚି ପାରି ନ ଥିଲା । ମାତ୍ର ୨୦୨୩-୧୪ରେ ଦଳ ବଡ ସଫଳତା ହାସଲ କରିଥିଲା । ନେଟ୍ ରନ ରେଟ୍ ଆଧାରରେ ଗୋଆକୁ ପଛରେ ପକାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଥିଲା । ୨୦୧୫-୧୬ରେ ପରଭେଜ ରସୁଲଙ୍କ ନେତୃତ୍ୱରେ ୱାଙ୍ଖେଡେ ଷ୍ଟାଡିୟମରେ ମୁମ୍ବାଇକୁ ହରାଇ ନିଜର ସବୁଠୁ ବଡ ବିଜୟ ହାସଲ କରିଥିଲା ଜମ୍ମୁ-କାଶ୍ମୀର ।
ତେବେ ଚଳିତ ସିଜିନରେ ଜମ୍ମୁ-କାଶ୍ମୀରରେ କୌଣସି ଷ୍ଟାର ଖେଳାଳି ନ ଥିଲେ । କିନ୍ତୁ ପଶ୍ଚିମବଙ୍ଗରେ ଥିଲେ ମହମ୍ମଦ ଶାମି, ଆକାଶ ଦୀପ, ମୁକେଶ କୁମାର ଓ ଶାହବାଜ ଅହମ୍ମଦଙ୍କ ପରି ଚାରି ଅନ୍ତର୍ଜାତୀୟ ଖେଳାଳି । ପୁଣି ବ୍ୟାଟର ଭାବେ ଥିଲେ ଅଭିମନ୍ୟୁ ଈଶ୍ୱରନ । ଏହା ବ୍ୟତୀତ ବଙ୍ଗାଲକୁ ଘରୋଇ ମଇଦାନରେ ଖେଳିବାର ଫାଇଦା ବି ମିଳୁଥିଲା । ମାତ୍ର ଜମ୍ମୁ-କାଶ୍ମୀର ଦମଦାର ପ୍ରଦର୍ଶନ କରି ବଙ୍ଗାଲକୁ ହରାଇଛି ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ପ୍ରଥମ ଇନିଂସରେ ୩୨୮ ରନ କରିଥିଲା । ଜବାବରେ ଜମ୍ମୁ-କାଶ୍ମୀର ୩୦୨ ରନ କରି ପାରିଥିଲା । ୨୬ ରନରେ ଆଗୁଆ ଥିଲେ ମଧ୍ୟ ପଶ୍ଚିମବଙ୍ଗ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୯୯ ରନରେ ଅଲଆଉଟ୍ ହୋଇଥିଲା । ଏହା ପରେ ଜମ୍ମୁ-କାଶ୍ମୀର ୪ ୱିକେଟ ହରାଇ ମ୍ୟାଚ୍ ଜିତି ନେଇଛି ।