ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଛି । ମୋଟ ୧୩୬୪ଟି ପରୀକ୍ଷା କେନ୍ଦ୍ରରେ ୪ଲକ୍ଷ ୧ହଜାର ୬୨୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିରେ ୩ ଲକ୍ଷ ୭୬ ହଜାର ୫୩୫ ରେଗୁଲାର ଓ ୨୫ ହଜାର ୮୮ ଜଣ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ଅଛନ୍ତି ।
ସକାଳ ସାଢ଼େ ୯ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପହଁଚିବେ । ଏହା ପରେ ୯ଟା ୪୫ ସୁଦ୍ଧା ସମସ୍ତେ ନିଜ ଆସନରେ ବସିବେ । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ । କପି ରୋକିବା ଏବଂ ଅନୟମିତତାକୁ ରୋକିବାକୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମରେ ଲଗାଯିବା ସହିତ ୫ଟି ସ୍ତରରେ ୧୦୨ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ଏହା ସହିତ ପରୀକ୍ଷା କେନ୍ଦ୍ର ନିକଟରେ ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି । ସେହିପରି ପିଲାଙ୍କ ପାଇଁ ପାନୀୟ ଜଳ ଠାରୁ ନେଇ ଅନ୍ୟାନ୍ୟ ସୁବିଧା ମଧ୍ୟ କରାଯାଇଛି । ଆସନ୍ତା ମାର୍ଚ୍ଚ ୨୮ ତାରିଖ ଯାଏ ଯୁକ୍ତ ଦୁଇ ପରୀକ୍ଷା ଚାଲିବ ।
ସେହିପରି ରାଜ୍ୟର ୨୧୧ଟି ନୋଡାଲ ସେଣ୍ଟରରେ ପ୍ରଶ୍ନ ପତ୍ର ରହିଛି । ହବ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ସମସ୍ତ ହବ୍ରେ ୨୪ ଘଣ୍ଟିଆ ଲାଇଭ୍ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା ସହିତ ଏଆଇ କ୍ୟାମେରା ଲଗାଯାଇଛି । ଏହାର ସିଧାସଳଖ ନିୟନ୍ତ୍ରଣ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରହିଛି, ଯାହା ମାଧ୍ୟମରେ ପରୀକ୍ଷା ପ୍ରକ୍ରିୟାକୁ ତଦାରଖ କରିହେବ।