ଭୁବନେଶ୍ୱର: ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ଆରମ୍ଭ ହୋଇଯାଇଛି ବିରୋଧୀଙ୍କ ହଙ୍ଗାମା । ବିରୋଧୀ ସଦସ୍ୟମାନେ ଗୃହରେ ଧାନ ରଖି ହଟ୍ଟଗୋଳ କରିବା ପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।
ବିଧାନସଭା ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ଦିନ ଥିଲା । ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଜି ଏବଂ ଆସନ୍ତାକାଲି ଗୃହରେ ଆଲୋଚନା ହେବାର ଥିଲା । କିନ୍ତୁ ଗୃହ ଆରମ୍ଭରୁ ପ୍ରଶ୍ନକାଳରେ ବିରୋଧୀ ସଦସ୍ୟମାନେ ଧାନ ମଣ୍ଡି ସମସ୍ୟା ନେଇ ହୋହାଲ୍ଲା ଆରମ୍ଭ କରିଦେଇଥିଲେ । ବାଚସ୍ପତି ପୋଡ଼ିୟମ ପାଖକୁ ଆସିବା କ୍ଷଣି ବିରୋଧୀ ଦଳ ଧାନ ଓ ପ୍ଲା କାର୍ଡ ଧରି ହଟ୍ଟଗୋଳ କରିଥିଲେ । ବିଜେଡ଼ି ସଦସ୍ୟ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଣ୍ଡରେ ଧାନ ମୁଣ୍ଡାଇ ଗୃହ ଭିତରକୁ ଆସିଥିଲେ ଏବଂ ରିପୋର୍ଟ୍ସଙ୍କ ଟେବୁଲ ଉପରେ ଧାନ ରଖି ହୋହାଲ୍ଲା କରିଥିଲେ । ଉଭୟ ବିଜେଡ଼ି ଓ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ନାରାବାଜି କରିଥିଲେ । ବାଚସ୍ପତି ବାରମ୍ବାର ସମସ୍ତ ସଦସ୍ୟଙ୍କୁ ଆସନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ କେହି ନ ଶୁଣିବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ସାଢ଼େ ୧୧ଟା ଯାଏ ମୁଲତବୀ ଘୋଷଣା କରିଥିଲେ ।
ଏହା ପରେ ପୁନର୍ବାର ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ତଥାପି ବିରୋଧୀ ସଦସ୍ୟମାନେ ସେମାନଙ୍କ ହରକତରୁ ବାଦ ପଡ଼ିନଥିଲେ । ପୁଣି ଥରେ ନାରାବାଜି କରିବା ଆରମ୍ଭ କରିଦେଇଥିଲେ । ବାଚସ୍ପତି ପୁନର୍ବାର ଗୃହ କାର୍ୟ୍ୟକୁ ଅପରାହ୍ନ ୪ଟା ଯାଏ ସ୍ଥଗିତ ଘୋଷଣା କରିଥିଲେ ।