କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ। ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି। ତେବେ ଦଳ ଛାଡିବାର ସେ ଏକ ରୋଚକ କାରଣ ଦର୍ଶାଇଛନ୍ତି। ଦଳକୁ ସମୟ ଦେଇ ପାରୁନଥିବାରୁ ଇସ୍ତଫା ଦେଇଥିବା କହିଛନ୍ତି।
ଗତ ୨୦୨୩ ମସିହାରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ଜୟରାମ ଗତ ୪ ଥର ବିଧାୟକ ହୋଇଥିବା ବେଳେ ଥରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ସେ ଗତ ୧୯୭୭ରେ ଜନତା ପାର୍ଟି ଟିକେଟ୍ରେ ପଟ୍ଟାଙ୍ଗୀ ଆସନରୁ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୧୯୯୦ରେ ସେ ଏହି ଆସନରୁ ବିଜୟୀ ହୋଇଥିଲେ। ସେହିପରି ଗତ ୨୦୦୦ ଏବଂ ୨୦୦୪ରେ ଜୟରାମ ବିଜେଡି ଟିକେଟ୍ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପଡୋଶୀ ଆନ୍ଧ୍ର ଓ ଛତିଶଗଡର ଆଦିବାସୀ ଅଧ୍ୟୁଷିତ କିଛି ଅଞ୍ଚଳକୁ ନେଇ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିବାକୁ ଜୟରାମ ପାଙ୍ଗୀ ଦୀର୍ଘ ଦିନ ହେବ ପ୍ରୟାସ କରିଆସୁଛନ୍ତି। ଏଥିପାଇଁ ସେ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଗଠନ କରିଛନ୍ତି। ଜୟରାମ ପାଙ୍ଗୀ ୨୦୧୭ ମସିହାରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ସେ ପୂର୍ବରୁ ୪ ଥର ପଟାଙ୍ଗୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ କୋରାପୁଟରୁ ଗିରିଧର ଗମାଙ୍ଗଙ୍କୁ ପରାଜିତ କରି ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।