ଭୁବନେଶ୍ୱର: ଚଳିତ ବଜେଟ୍ ଅଧିବେଶନର ଦ୍ୱିତୀୟ ଦିବସର ପ୍ରଶ୍ନ କାଳ ସମ୍ପୂର୍ଣ୍ଣ ଧୋଇଯାଇଛି । ଚାଷୀ ସମସ୍ୟାକୁ ନେଇ ଉଭୟ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ବିଧାନସଭାରେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି । ଘୋଷଣା ହୋଇଥିବା ଧାନର ଇନପୁଟ୍ ସବସିଡିକୁ କମ୍ କରି ଦିଆଯାଉଥିବା ବିଜେଡ଼ି ଗମ୍ଭୀର ଅଭିଯୋଗ ଆଣିଛି । ସେପଟେ ବିଜେପି କହିଛି ଚାଷୀଙ୍କ ଖୁସିକୁ ଦେଖି ବିଜେଡ଼ି ଦୁଃଖୀ ହୋଇଯାଉଛି ।
ଚାଷୀ ସମସ୍ୟାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଦୁଇ ଥର ସ୍ଥଗିତ ରହିଥିଲା । ଏହା ପରେ ଗୃହ ବାହାରାରେ ଜଣକ ପରେ ଜଣେ ଆରୋପ ପ୍ରତ୍ୟାରୋପ କରିଥିଲେ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ ଯେ ସରକାର ଧାନ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ବଦଳରେ କାହିଁକି ୭୩୧ ଟଙ୍କା ଦେଉଛନ୍ତି ? କାହିଁକି ଚାଷୀଙ୍କୁ ୬୯ ଟଙ୍କା ବଞ୍ଚିତ କରାଯାଉଛି ?
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ଯେ ସରକାର ଗୋଟିଏ କଥା କହୁଥିବାବେଳେ ରାଜ୍ୟପାଳ ଗୋଟିଏ କଥା କହୁଛନ୍ତି । ଓଡ଼ିଶାରେ ଚାଷୀ ଅମଳ କରିଛି ଏବଂ ତାର ଋଣଭାର ବଢ଼ିଥିବାବେଳେ ମଣ୍ଡିରୁ ଧାନ ଉଠିପାରୁ ନାହିଁ । ରାଜ୍ୟ ସରକାର ଚାଷୀଙ୍କୁ ସୁରକ୍ଷା ଦେଇପାରୁ ନାହାଁନ୍ତି । ରାଜ୍ୟରେ କଟନୀ ଛଟନୀ ଚାଲିଛି । ଚାଷୀମାନେ ଆଜି ହତାଶ ହୋଇଛନ୍ତି । ଯେପର୍ଯ୍ୟନ୍ତ ଚାଷୀଙ୍କୁ ସୁରକ୍ଷା ଦେବାକୁ ସରକାର ଆଗେଇ ଆସି ନାହାଁନ୍ତି ସେପର୍ଯ୍ୟନ୍ତ ବିଧାନସଭା ଚଳାଇ ଦେବାକୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀଯୁକ୍ତ କାଡ଼ାମ ।
ବିରୋଧୀଙ୍କ ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ । ପ୍ରସନ୍ନ ଆଚାର୍ଯ୍ୟଙ୍କ ଆରୋପର ଜବାବ ରଖି ଅଶ୍ୱିନୀ ଷଡ଼ଙ୍ଗୀ କହିଥିଲେ ଯେ ଯିଏ ୧୦୦ ଟଙ୍କା ଘୋଷଣା କରି ଦେଇନଥିଲେ, କେଉଁ ମୁହଁରେ ୮୦୦ କଥା କହୁଛନ୍ତି । ଆମେ ନିର୍ବାଚନ ବେଳେ ୩୧୦୦ ଟଙ୍କା ଦେବୁ ବୋଲି କହିଥିଲୁ, ଆଉ ଦେଉଛୁ ବୋଲି ଦମ୍ଭର ସହ କହିଥିଲେ । ବିଜେପି ବିଧାୟକ ଆହୁରି କହିଥିଲେ ଯେ ବିରୋଧୀ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି । ଚାଷୀଙ୍କ ସମସ୍ୟାକୁ ନେଇ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । କିନ୍ତୁ ଚାଷୀଙ୍କ ସମସ୍ୟାକୁ ନେଇ ଗୃହରେ ଆଲୋଚନା ନ କରି ଗୃହକୁ ଅଚଳ କରି ଦେଉଛନ୍ତି । ଚାଷୀଙ୍କଠାରୁ ଧାନ ନିଆଯାଉଛି । ବିଳମ୍ବ ହେଲେ ପଛେ ଧାନ ଉଠୁଛି । ଚାଷୀମାନେ ଖୁସି ଅଛନ୍ତି, କିନ୍ତୁ ବିରୋଧୀ ଦୁଃଖୀ ଅଛନ୍ତି । ଜାଣିଶୁଣି ଚାଷୀଙ୍କ ସମସ୍ୟାର ସମାଧାନ କରାଇ ଦେଉ ନାହାଁନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ।