ବାଲେଶ୍ୱର: ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଜଣେ କାର୍ଯ୍ୟରତ ମହିଳା ରାଜସ୍ୱ ନିରୀକ୍ଷକଙ୍କୁ ବାଲି ମାଫିଆମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ । ଆକ୍ରମଣର ଶିକାର ହୋଇଥିବା ଆରଆଇ ହେଲେ ବାଲିଆପାଳ ତହସିଲ ଶ୍ରୀରାମପୁରର ସରୋଜିନୀ ଟୁଡୁ । ଏ ନେଇ ଥାନାରେ ଅଭିଯୋଗ ହୋଇଛି ।
ଗତକାଲି ବାଲି ମାଫିଆମାନେ ସୁବର୍ଣ୍ଣରେଖା ନଦୀ ପାଳପଡ଼ା ପଠାରେ ବେଆଇନ ବାଲି ଉଠାଣ କରୁଥିଲେ । ନଦୀ ପଠା ଶୁଖି ଯାଇଥିବାରୁ ମାଫିଆମାନେ ଜଳସେଚନ ପ୍ରକଳ୍ପର ବନ୍ଧ କାଟି ବାଲି ଉଠାଉ ଥିଲେ । ଏ ନେଇ ସ୍ଥାନୀୟ ଲୋକେ ଆରଆଇଙ୍କ ନିକଟରେ ଲିଖିତ ଆକାରରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଆରଆଇ ସରୋଜିନୀ ଟୁଡୁ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ବାଲି ମାଫିଆମାନେ ମହିଳା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଏ ନେଇ ସେ ତହସିଲଦାର ଜ୍ୟୋତ୍ସାରାଣୀ ନାଏକଙ୍କୁ ଜଣାଇଥିଲେ । ତହସିଲଦାର ବାଲିଆପାଳ ଥାନାରେ ଏତଲା ଦେଇଛନ୍ତି ।
ପୋଲିସ କିଛି ବ୍ୟକ୍ତିଙ୍କୁ ଆଟକ ରଖି ଜେରା କରୁଛି । ତେବେ ଖବର ଲେଖା ଯିବାବେଳକୁ କୌଣସି ଗିରଫଦାରୀ ହୋଇନଥିବା ଜଣାପଡ଼ିଛି ।