ନୂଆଦିଲ୍ଲୀ: ସୋମବାର ଦିନ ପଞ୍ଜାବର ତରନତାରନ ଜିଲ୍ଲାରେ ଓସମା ଆଇନ କଲେଜ ଛାତ୍ରୀଙ୍କୁ ତାଙ୍କ ସହପାଠୀ ଗୁଳି କରି ହତ୍ୟା କରିଛନ୍ତି । ଏହା ପରେ ଉକ୍ତ ସହପାଠୀ ନିଜକୁ ମଧ୍ୟ ଗୁଳି କରିଛନ୍ତି । ଉଭୟ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଅଟନ୍ତି । ମୃତ ଛାତ୍ରୀ ଜଣକ ହେଲେ ସନ୍ଦୀପ କୌର । ଗୁରୁତର ଛାତ୍ର ପ୍ରିନ୍ସ ରାଜଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଗୁଳିକାଣ୍ଡର ସମ୍ପୂର୍ଣ୍ଣ ଘଟଣାବଳୀ ଶ୍ରେଣୀ ଗୃହରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଛି । ପ୍ରଥମେ ଛାତ୍ରୀ ସନ୍ଦୀପ କୌର ନିଜର ସହପାଠୀନୀଙ୍କ ସହିତ ଶ୍ରେଣୀ ଗହକୁ ପ୍ରବେଶ କରିଥିଲେ । ଏହା ପରେ ଛାତ୍ର ପ୍ରିନ୍ସ ରାଜ୍ ଆସିଥିଲେ । ଆସିବା ପରେ କିଛି ସମୟ ଅପେକ୍ଷା କରିଥିଲେ । ଏହା ପରେ ପ୍ରିନ୍ସ ଆଗ ବେଞ୍ଚରେ ଏବଂ ସନ୍ଦୀପ କୌର ନିଜ ସାଙ୍ଗ ସହିତ ପଛ ବେଞ୍ଚରେ ବସିଥିଲେ । ଏହାପରେ ତୁରନ୍ତ ପ୍ରିନ୍ସ ବ୍ୟାଗରୁ ବନ୍ଧୁକ ବାହାର କରି ସନ୍ଦୀପଙ୍କ ମୁଣ୍ଡକୁ ଗୁଳି କରିଥିଲେ । କେହି କିଛି ବୁଝିବା ପୂର୍ବରୁ ପ୍ରିନ୍ସ ନିଜ ମୁଣ୍ଡକୁ ଗୁଳି କରିଥିଲେ । ଉଭୟ ସେଇଠି ଟଳି ପଡ଼ିଥିଲେ । ପରେ ଉଭୟଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଛନ୍ତି ।
ପୋଲିସ କଲେଜରେ ପହଁଚି ଛାନଭିନ ଆରମ୍ଭ କରିଛି । କୌରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ରାଜଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ଘଟିଛି ।