ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ନିଳାଦ୍ରୀ ବିହାରରେ କାର୍ ଡ୍ରାଇଭର୍ ସତ୍ୟବ୍ରତଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଦିନେଶ ନାୟକ ଆତ୍ମ ସମର୍ପଣ କରିଛି । ଦିନେଶ ଜଗତସିଂହପୁର ସଦର ଥାନାରେ ଆତ୍ମସମର୍ପଣ କରିଛି । ଦିନେଶ ଜଗତସିଂହପୁର ଜିଲା ବାଲିକୁଦା ଥାନା ଅରିଲୋ ଗ୍ରାମର ବାସିନ୍ଦା ଅଟେ । ଦିନେଶ ବିବାହିତ ଅଟନ୍ତି ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ରହିଛି । କମିଶନରେଟ୍ ପୋଲିସ ନିଜ ହେପାଜତକୁ ନେଇ ଜେରା କରିଛି । ଆଜି ତାକୁ କୋର୍ଟରେ ହାଜର କରାଯିବ ।
ଅନ୍ୟପଟେ ସତ୍ୟବ୍ରତକୁ ନେଇ ଖୁଲାସା ହୋଇଛି । ସତ୍ୟବ୍ରତ ବିବାହିତ ହୋଇଥିବାବେଳେ ତାର ଗୋଟିଏ ଝିଅ ମଧ୍ୟ ରହିଛି । ଏ ନେଇ ପ୍ରେମିକା ଲିଜା କାଣ୍ଡି ଅବଗତ ନ ଥିଲା । ଜାଣିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ଘଟଣାରେ ପ୍ରେମିକା ଲିଜା ମଧ୍ୟ ଅଟକ ରହିଛି ।
ଗତକାଲି ଏକ ସିସିଟିଭି ଫୁଟେଜ୍ ଭାଇରାଲ ହୋଇଥିଲା । ସତ୍ୟବ୍ରତଙ୍କୁ ଛୁରୀରେ ଆକ୍ରମଣ କରାଯିବା ପରେ ଜୀବନ ବିକଳରେ ଦୌଡ଼ିଥିଲେ । ଏହା ପରେ ଦୁଇ ଜଣ ପୁଅ ଏବଂ ଝିଅ ଚାଲିକି ଯାଉଥିବା ଦେଖାଯାଉଛି । ଉଭୟ ଦିନେଶ ଓ ଲିଜା ବୋଲି ସନ୍ଦେହ କରାଯାଉଛି ।
ସୂଚନାଯୋଗ୍ୟ, ତ୍ରିକୋଣୀୟ ପ୍ରେମ ପାଇଁ ଡ୍ରାଇଭର ସତ୍ୟବ୍ରତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା । ଦିନେଶ ଏବଂ ସତ୍ୟବ୍ରତ ଉଭୟ ପେଷାରେ ଡ୍ରାଇଭର ଅଟନ୍ତି । ଦିନେଶ ଲିଜାକୁ ପ୍ରେମ କରୁଥିଲା । ଲିଜା ଉଭୟ ସତ୍ୟବ୍ରତ ଏବଂ ଦିନେଶ ସହିତ ପ୍ରେମ ସମ୍ପର୍କ ରଖିଥିଲା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଦେବବ୍ରତଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ।