ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କ୍ରେଜିୱାଲଙ୍କୁ ଗୁଜରାଟରେ ଜୋରଦାର ଝଟକା ଲାଗିଛି । ଗୁଜରାଟର ବରିଷ୍ଠ ଆପ୍ ନେତା ତଥା କୃଷକ ମୋର୍ଚ୍ଚା ମୁଖ୍ୟ ରାଜୁ ଭାଇ କରପଡ଼ା ଦଳରୁ ଇସ୍ତଫା ଦେଇଛନ୍ତି ।
ରାଜୁ ଭାଇ ସାମାଜିକ ଗଣମାଧ୍ୟମରେ ନିଜର ଇସ୍ତଫା ଘୋଷଣା କରିଛନ୍ତି । ସେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ ବ୍ୟକ୍ତିଗତ କାରଣରୁ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନର ଦାୟିତ୍ୱ ନିର୍ବାହ କରିବା ତାଙ୍କ ପାଇଁ ସମ୍ଭବ ନୁହେଁ। ଦଳ ତାଙ୍କୁ ଯେଉଁ ସୁଯୋଗ, ସମ୍ମାନ ଏବଂ ସମର୍ଥନ ଦେଇଛି ସେଥିପାଇଁ ସେ ଗଭୀର କୃତଜ୍ଞ।
ରାଜୁ ଭାଇ ଗୁଜରାଟର ସୁରେନ୍ଦ୍ରନଗର ଜିଲ୍ଲାରୁ ଆସନ୍ତି । ସେ କୃଷକ ମାନଙ୍କ ଅଧିକାର ପାଇଁ ସବୁବେଳେ ଲଢ଼େଇ କରିଆସିଛନ୍ତି । ଅକ୍ଟୋବର ୨୦୨୫ରେ, ବୋଟାଡ ଜିଲ୍ଲାର ହଡ୍ଡାଡ ଗାଁରେ ଏକ କୃଷକ ମହାପଞ୍ଚାୟତ ଅନୁଷ୍ଠିତ ହୋଇଥିଲା। ପୋଲିସ ଦାବି କରିଥିଲା ଯେ ସରକାରୀ ଅନୁମତି ବିନା ସମାବେଶ କରାଯାଇଥିଲା । ପୋଲିସ ଅନୁଯାୟୀ ଯେତେବେଳେ ଅଧିକାରୀମାନେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ସେତେବେଳେ ଉତ୍ତେଜନା ବୃଦ୍ଧି ପାଇଥିଲା ଏବଂ ପ୍ରତିବାଦକାରୀ ଗୋଷ୍ଠୀର କିଛି ସଦସ୍ୟ ପୋଲିସ ଗାଡ଼ି ଉପରେ ପଥର ମାଡ଼ କରିଥିବା ଅଭିଯୋଗ ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସ୍ ମାଡ଼ କରାଯାଇଥିଲା। ପରବର୍ତ୍ତୀ ସମୟରେ, ଚାଷୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ଘଟଣାରେ ୮୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା।