ଭୁବନେଶ୍ୱର: ରାଜ୍ୟର ଗୃହ ନିର୍ମାଣ ଓ ନଗର ଉନ୍ନୟ ବିଭାଗରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗକୁ ଅଧିକ ସୁଦୃଢ଼ ହେବ । ଏଥିପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ଆଇଆଇଟି କାନପୁରର ‘AIRAWAT ରିସର୍ଚ୍ଚ ଫାଉଣ୍ଡେସନ’ (ARF) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏବଂ ଏଆରଏଫର ସିଇଓ ଅମର ନାଥଙ୍କ ଉପସ୍ଥିତିରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢୀ କହିଛନ୍ତି ଯେ ଓଡ଼ିଶା ନିଜର ସହରଗୁଡ଼ିକୁ କେବଳ ସ୍ମାର୍ଟ ନୁହେଁ, ବରଂ ଅଧିକ ସମ୍ବେଦନଶୀଳ ଏବଂ ସମାବେଶୀ କରିବାକୁ ପ୍ରତିବଦ୍ଧ । ଏହି ସହଭାଗିତା ଏଆଇ ସହାୟତାରେ ସହରାଞ୍ଚଳ ସେବା ପ୍ରଦାନକୁ ଉନ୍ନତ କରିବ ଏବଂ ତଥ୍ୟଭିତ୍ତିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବ। ସେହିପରି ଏଆରଏଫ୍ ସିଇଓ ଅମର ନାଥ କହିଛନ୍ତି ଯେ, ସରକାର ଏବଂ ପ୍ରତିଷ୍ଠିତ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ଏଭଳି ସହଯୋଗ ଦ୍ୱାରା ଏଆଇ ସମାଧାନଗୁଡ଼ିକୁ ନାଗରିକଙ୍କ ଆବଶ୍ୟକତା ଅନୁଯାୟୀ ବିକଶିତ କରାଯାଇପାରିବ । ଏଆରଏଫ୍ ଓଡ଼ିଶାରେ ଏକ ଦୃଢ଼ ଏବଂ ଦାୟିତ୍ୱପୂର୍ଣ୍ଣ ଏଆଇ ବ୍ୟବସ୍ଥା ଗଠନ ପାଇଁ ପୂର୍ଣ୍ଣ ସହଯୋଗ କରିବ।
ଏହି ସହଭାଗିତା ମାଧ୍ୟମରେ ଏଆରଏଫ୍ ବିଭାଗର ଏଆଇ ଇନୋଭେସନ ପାର୍ଟନର ଭାବରେ କାର୍ଯ୍ୟ କରିବ ଏବଂ ବୈଷୟିକ ସହାୟତା ପ୍ରଦାନ କରିବ। ନଗର ଉନ୍ନୟନ ବିଭାଗ ମଧ୍ୟରେ ଏକ ସ୍ୱତନ୍ତ୍ର ଏଆଇ (AI-PMU) ପ୍ରତିଷ୍ଠା କରାଯିବ, ଯାହା ଏଆଇ କାର୍ଯ୍ୟକ୍ରମଗୁଡ଼ିକର ସମନ୍ୱୟ ରକ୍ଷା କରିବ। ରାଜ୍ୟ ପାଇଁ ଏକ ଦୀର୍ଘକାଳୀନ ଏଆଇ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ, ଯାହା ପୌରସଂସ୍ଥା ଗୁଡ଼ିକରେ ବୈଷୟିକ ସଂସ୍କାର ଆଣିବ ଏବଂ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଏଆଇର ନୈତିକ ଏବଂ ସ୍ୱଚ୍ଛ ପ୍ରୟୋଗ ପାଇଁ ତାଲିମ ପ୍ରଦାନ କରାଯିବ।
ଏହି ସହଭାଗିତା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ଡକ୍ଟର ସୁବ୍ରତ ବିଶ୍ୱାଳଙ୍କ ନେତୃତ୍ୱରେ 'eGov' ଫାଉଣ୍ଡେସନ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଖାରବେଳ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ eGov ଟିମର ସଦସ୍ୟମାନେ ଉପସ୍ଥିତ ଥିଲେ।